ନୂଆଦିଲ୍ଲୀ: ପିଲାଦିନେ ସମସ୍ତେ ଚକ୍ରି ଦୋଳିରେ କେବେ ନା କେବେ ବସିଥିବେ ନିଶ୍ଚୟ । କିନ୍ତୁ ସହରରେ ଆଡଭେନଚର୍ ପାର୍କମାନଙ୍କରେ ଥିବା ଏହି ଚକ୍ରି ଦୋଳିରେ ବହୁ ସମୟରେ ଦୁର୍ଘଟଣାମାନ ଘଟିଯାଏ । ଏବେ ଆମେରିକାରେ ଏପରି କିଛି ହୋଇଛି ଯେଉଁଥିରେ ଚକ୍ରି ଦୋଳି ବା ରୋଲର କୋଷ୍ଟର ମଝିରେ ଅଟକି ଯିବାରୁ ଏଥିରେ ବସିଥିବ ା ୭ଜଣ ଶିଶୁ ଘଣ୍ଟା ଘଣ୍ଟା ଧରି ଓଲଟା ଲଟକି ରହିଥିଲେ । ଏବେ ଏହି ଘଟଣାର ଭୟାନକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।
ଆମେରିକାରେ ରୋଲରକୋଷ୍ଟର ବା ଚକ୍ରି ଦୋଳି ଘୁରୁଥିବା ସମୟରେ ମଝିରେ ଖରାପ ହୋଇଯିବାରୁ କିଛି ପିଲା ମଝିରେ ଘଣ୍ଟା ଘଣ୍ଟା ଧରି ଓହଳି ରହିଥିଲେ । ଏହାର ଭୟାବହ ଫୁଟେଜ୍ ସାମ୍ନାକୁ ଆସିବା ପରେ ଲୋକଙ୍କ ମନ ମଧ୍ୟରେ ଏବେ ଏହି ଦୋଳିରେ ବସିବାକୁ ନେଇ ଭୟ ଜାଗ୍ରତ ହୋଇଛି । ଆମେରିକାର ଭିକ୍ସୋନସିନ୍ କ୍ରେଣ୍ଡନ ଠାରେ ଫରେଷ୍ଟ କାଉଣ୍ଟି ଫେଷ୍ଟିଭାଲରେ ଗତ ରବିବାର ଏହିଭଳି ଭୟାନକ ଦୁର୍ଘଟଣା ଘଟିଥିଲା । ଏହି ସମୟରେ ରୋଲର କୋଷ୍ଟରରେ ୮ ଜଣ ଲୋକ ବସିଥିଲେ ଯେଉଁଥିରେ ୭ ଜଣ ଶିଶୁ ଥିଲେ । ମଝିରେ ରୋଲରକୋଷ୍ଟର ଖରାପ ହୋଇଯିବାରୁ ଏମାନେ ପ୍ରାୟ ୩ ଘଣ୍ଟା ଓହଳି ରହିଥିଲେ । ଏ ବିଷୟରେ ଟିପ୍ଡ୍ ଓଭର କାର୍ଣ୍ଣିଭାଲ୍ ରାଇଡ୍ କୁ ସୂଚନା ଦିଆଯିବା ପରେ ଆଣ୍ଟିଗୋ ଅଗ୍ନିିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ ।
ଏହି ଘଟଣା ସଂପର୍କରେ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଏହିଭଳି ଏକ ଘଟଣାରେ ପିଲାମାନେ ବହୁତ ସାହାସ ଦେଖାଇଛନ୍ତି । ସେମାନେ ବହୁ ସମୟ ଧରି ଓଲଟା ଲଟକି ହୋଇ ରହିଥିଲେ । ଦୋଳିରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ଘଟିଛି ବୋଲି ସେ କହିଛନ୍ତି । ତେବେ ଏହା ପଛରେ ଆଉ କିଛି କାରଣ ରହିଛି କି ନା ସେ ବିଷୟରେ ଯାଞ୍ଚ ଚାଲିଛି ।