ପୁଣି ଚର୍ଚ୍ଚାକୁ ଆସିଲା ଦଳ ବଦଳ ବିରୋଧୀ ଆଇନ, ୯ ଘଣ୍ଟାରେ ୩ ଥର ଦଳ ବଦଳାଇଥିବା ବିଧାୟକଙ୍କ ଠାରୁ ଆରମ୍ଭ ହୋଇଥିଲା ଆୟା ରାମ ଗୟା ରାମ କାହାଣୀ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଘଟଣାକ୍ରମ ପରେ ପୁଣି ଥରେ ଦଳ ବଦଳ ବିରୋଧୀ ଆଇନକୁ ନେଇ ଚର୍ଚ୍ଚା ଜୋର ଧରୁଛି । ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଏନସିପିର ୮ ଜଣ ବିଧାୟକଙ୍କୁ ଧରି ସିନ୍ଦେ-ବିଜେପି ସରକାରକୁ ନିଜର ସମର୍ଥନ ଦେଇଛନ୍ତି । ଅନ୍ୟପକ୍ଷରେ ସିନ୍ଦେ ସରକାରରେ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦିଆଯାଇଛି । ଏବେ କୁହାଯାଉଛି ଶରଦ ପାୱାର ଏହି ବାଗି ବିଧାୟକଙ୍କ ବିରୁଦ୍ଧରେ ଦଳ ବଦଳ ବିରୋଧୀ ଆଇନ ଜରିଆରେ କାର୍ଯ୍ୟାନୁଷ୍ଠାନ ଦାବୀ କରିପାରିବେ ।

ଗତ ଏକ ବର୍ଷ ଧରି ମହାରାଷ୍ଟ୍ରର ମାଟି ରାଜନୀତି ଲାଗି ନୂଆ ପ୍ରୟୋଗଶାଳା ପାଲଟିଛି । ପ୍ରଥମେ ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କ ସହ ବିଶ୍ୱାସଘାତକତା କରି ବିଜେପି ସମର୍ଥନରେ ସରକାର ଗଢିଥିଲେ । ସେତେବେଳେ ସିନ୍ଦେ ଦାବୀ କରିଥିଲେ ଯେ, ତାଙ୍କ ନିକଟରେ ୪୦ ବିଧାୟକ ରହିଛନ୍ତି । ଏହାପରେ ଉଦ୍ଧବ ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଯାଚିକା ଦାଖଲ କରିଥିଲେ । ଏବେ ମହାରାଷ୍ଟ୍ରରେ ପୁଣି ଏହିପରି ସ୍ଥିତି ଉପୁଜିଛି । ଏବେ ଅଜିତ ପାୱାର ଦଳର ନେତା ଶରଦ ପାୱାରଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ଦାବୀ ଉଠିଛି ଯେ, ତାଙ୍କ ପାଖରେ ଏନସିବିର ପ୍ରାୟ ୪୦ ଅର୍ଥାତ୍ ଦୁଇ ତୃତୀୟାଂଶରୁ ଅଧବକ ବିଧାୟକଙ୍କ ସମର୍ଥନ ରହିଛି । ଅନ୍ୟପକ୍ଷରେ ଶରଦ ପାୱାର ଦଳ ବଦଳ ବିରୋଧୀ ଆଇନ ବଳରେ ଏହି ବାଗୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଆବେଦନ କରିବେ । ତେବେ ଏହି କ୍ରମରେ ଆସନ୍ତୁ ଜାଣିବା ଦଳ ବଦଳ ବିରୋଧୀ ଆଇନ କେବେ ଲାଗୁ କରାଗଲା ଓ ଏହାର ଆବଶ୍ୟକତା କଣ ?

ରାଜନୈତିକ ଦଳ ବଦଳ ଉପରେ ପ୍ରତିବନ୍ଧ ଲଗାଇବାକୁ ଏହି ଆଇନ ଅଣାଯାଇଥିଲା । ୧୯୮୫ରେ ଏଥିଲାଗି ରାଜୀବ ଗାନ୍ଧୀ ସରକାର ସମୟରେ ସମ୍ବିଧାନରେ ୫୨ ତମ ସଂଶୋଧନ କରାଯାଇଥିଲା । ଏହି ଆଇନ ଜରିଆରେ ସେହି ସାଂସଦ ଓ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥାଏ ଯିଏକି କୌଣସି ରାଜନୈତିକ ଦଳର ନିର୍ବାଚନ ଚିହ୍ନରେ ନିର୍ବାଚନ ଜିତିବା ପରେ ନିଜେ ହିଁ ନିଜ ଦଳର ସଦସ୍ୟତା ଛାଡି ଦିଏ । ଏହା ସହିତ ପାର୍ଟିର ଧାରାରୁ ବିଚ୍ୟୁତ ହୋଇ କାମ କରିଥାଏ , ପାର୍ଟି ହୁଇପ୍ ସତ୍ତେ୍ୱ ଭୋଟ୍ ଦାନରୁ ବିରତ ରୁହେ ଏବଂ ପାର୍ଟିର ନିର୍ଦ୍ଦେଶ ଉଲଙ୍ଘନ କରିଥାଏ । କିନ୍ତୁ ଏହି ଆଇନରେ ଏକ ତ୍ରୁଟି ଥିଲା । ଯଦି କୌଣସି ଦଳର ଏକ ତୃତୀୟାଂଶ ସଦସ୍ୟ ଅଲଗା ଦଳ ଗଢିଲେ କିମ୍ବା ଅନ୍ୟ ଦଳରେ ବିଲୟ ହେବାକୁ ଚାହାଁନ୍ତି ତେବେ ସେମାନଙ୍କ ଉପରେ ଅଯୋଗ୍ୟତା ଲାଗୁ ହେବ ନାହିଁ । ଏହି ଦଳ ବଦଳ ବିରୋଧୀ ଆଇନକୁ ସମ୍ବିଧାନର ୧୦ମ ଅନୁସୂଚୀରେ ରଖାଗଲା । କିନ୍ତୁ ଏହି ଆଇନ ତିଆରି ହେବା ପରେ ବି ଦଳ ବଦଳ ପୂର୍ବ ପରି ଜାରି ରହିଲା । ଏହି କାରଣରୁ ସଂସଦକୁ ୨୦୦୩ରେ ୯୧ ତମ ସମ୍ବିଧାନ ସଂଶୋଧନ କରିବାକୁ ପଡିଲା । ଏହା ଆଧାରରେ ୧୦ମ ଅନୁସୂଚୀର ଧାରା ୩କୁ ରଦ୍ଦ କରି ଦିଆଗଲା, ଯେଉଁଥିରେ ଏକ ସଙ୍ଗେ ଏକ ତୃତୀୟାଂଶ ସଦସ୍ୟ ଦଳ ବଦଳ କରିପାରୁଥିଲେ ।

ତେବେ ରାଜନୀତିରେ ଗୟା ରାମ ଆୟା ରାମ ଉକ୍ତିକୁ ନେଇ ଚର୍ଚ୍ଚା ହରିୟାଣା ସହ ଜଡିତ । ୧୯୬୭ରେ ଯେତେବେଳେ ୮୧ ଆସନ ବିଶିଷ୍ଟ ହରିୟାଣା ରାଜ୍ୟ ବିଧାନସଭା ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ କଂଗ୍ରେସ ବାଜିମାତ୍ କରିଥିଲା । ରାଜ୍ୟରେ କଂଗ୍ରେସ ସରକାର ଗଢିଥିଲା ଓ ଭଗବତୀ ଦୟାଲ ଶର୍ମା ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ଏହି ସରକାର ବେଶୀ ଦିନ ତିଷ୍ଠି ରହି ପାରି ନ ଥିଲା । କାରଣ ଦକ୍ଷିଣ ହରିୟାଣାର ଅସନ୍ତୁଷ୍ଟ ନେତା ରାଓ ବୀରେନ୍ଦର ସିଂହ କଂଗ୍ରେସର ୩୭ ବିଧାୟକଙ୍କୁ ସାଥିରେ ନେଇ ବିଶ୍ୱାସଘାତକତା କରିଥିଲେ । ପରେ ସେ ନିଜର ସ୍ୱତନ୍ତ୍ର ଦଳ ଗଢିତ, ଜନସଂଘର ସମର୍ଥନ ଓ ୧୬ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନରେ ନିଜ ସରକାର ଗଢିଥିଲେ । କିନ୍ତୁ ବୀରେନ୍ଦର ସିଂଙ୍କ ସରକାର ମାତ୍ର ୮ ମାସ ଚାଲିିଥିଲା । ଏହାପରେ ଭାରତର ରାଜନୀତିରେ ଏପରି ଘଟଣାମାନ ଦେଖିବାକୁ ମିଳିଲା ଯାହା ସବୁଦିନ ଲାଗି ଚର୍ଚ୍ଚାର ବିଷୟ ହୋଇ ରହିଗଲା । ଏହି ସରକାରରୁ ମଧ୍ୟ ବିଧାୟକ ସମର୍ଥନ ଫେରାଇ ନେଲେ । ୪୪ ଜଣ ବିଧାୟକ ଦଳ ବଦଳାଇ ଦେଲେ । ଏମାନଙ୍କ ମଧ୍ୟରେ ଜଣେ ସଦସ୍ୟ ୫ ଥର, ଦୁଇ ଜଣ ବିଧାୟକ ୪ ଥର, ୩ ବିଧାୟକ ୩ ଥର, ୪ ବିଧାୟକ ୨ ଥର ଓ ୩୪ ଜଣ ବିଧାୟକ ଥରେ ଥରେ ଦଳ ବଦଳାଇଥିଲେ ।

ଏହି ବିଧାୟକଙ୍କ ମଧ୍ୟରେ ଜଣଙ୍କ ନାମ ଥିଲା ଗୟା ଲାଲ । ଗୟା ଲାଲ ହସନପୁର ସିଟ୍ ରୁ ନିର୍ଦ୍ଦଳୀୟ ବିଧାୟକ ଥିଲେ । ସେ ମାତ୍ର ୩୬୦ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ । କିନ୍ତୁ ଚକିତ କରିଦେବା ଭଳି ଘଟଣା ଏହା ଥିଲା ଯେ, ଗୟା ଲାଲ ୯ ଘଣ୍ଟାରେ ୩ ଥର ଦଳ ବଦଳାଇଥିଲେ । ସେ ପ୍ରଥମେ କଂଗ୍ରେସକୁ ଯାଇଥିଲେ ଓ ଏହାର କିଛି ଘଣ୍ଟା ପରେ ୟୁନାଇଟେଡ୍ ଫ୍ରଣ୍ଟରେ ସାମିଲ ହୋଇଥିଲେ । ଏହାପରେ ସେ ପୁଣି କଂଗ୍ରେସକୁ ଫେରିଥିଲେ । ପୁଣି କିଛି ଦିନ ପରେ ସେ ୟୁନାଇଟେଡ୍ ଫ୍ରଣ୍ଟକୁ ଚାଲିଗଲେ । ଏହି ସମୟରେ ରାଓ ବୀରେନ୍ଦ୍ର ସିଂହ ଚଣ୍ଡୀଗଡରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ, ‘ଗୟା ରାମ ଏବେ ଆୟା ରାମ’ । ସମ୍ଭବତଃ ଏହି ଘଟଣା ପରେ ଦଳ ବଦଳକାରୀଙ୍କ ଉଦ୍ଦେଶ୍ୟରେ ଆୟା ରାମ ଗୟା ରାମ ଉକ୍ତି ପ୍ରୟୋଗ ହୋଇଥାଏ ।
ତେବେ ରାଜନୀତିରେ ଦଳ ବଦଳ ଘଟଣା କିଛି ନୂଆ କଥା ନୁହେଁ । ୮୦ ଦଶକରେ ଏହି ଦଳ ବଦଳ ଘଟଣା ଅଧିକ ଦେଖିବାକୁ ମିଳିଥିଲା । ଏହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା କରାଯାଇଥଇଲା । ୧୯୮୪ ଲୋକସଭା ନିର୍ବାଚନ ଲାଗି ରାଜୀବ ଗାନ୍ଧୀଙ୍କୁ କଂଗ୍ରେସର ଫେସ୍ କରାଯାଇଥିଲା । ରାଜୀବ ଜନତାଙ୍କ ନିକଟରେ ଦଳ ବଦଳ ବିରୋଧୀ ଆଇନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ । କଂଗ୍ରେସ କ୍ଷମତାକୁ ଫେରିବାର ୮ ସପ୍ତାହ ଭିତରେ ୧୯୮୫ରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦଳ ବଦଳ ବିରୋଧୀ ଆଇନ ଲାଗୁ କରିଥିଲେ ।