ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ୧୫ ଜଣିଆ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଏଥିସହିତ ଟିମରେ ତିଲକ ବର୍ମା ଓ ଯଶସ୍ୱୀ ଜୟସ୍ୱାଲଙ୍କୁ ମଧ୍ୟ ସ୍ଥାନ ମିଳିଛି । ନବ ଟିମ୍ ଇଣ୍ଡିଆର ନବନିଯୁକ୍ତ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ୫ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ୍ ପାଇଁ ଏହି ଘୋଷଣା କରିଛି ।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ପାଇଁ ସିନିୟର ଖେଳାଳି ରୋହିତ ଶର୍ମା, ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଆସନ୍ତା ମାସ ୩ ତାରିଖରୁ ଟି-୨୦ ସିରିଜ୍ ଆରମ୍ଭ ହେବ । ଚଳିତ ବର୍ଷର ଆଇପିଏଲ ୨୦୨୩ରେ ଯଶସ୍ୱୀ ଓ ତିଲକଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ରହିଥିବାରୁ ଏହି ଦୁଇ ଖେଳାଳିଙ୍କୁ ଟି-୨୦ରେ ସ୍ଥାନ ମିଳିଛି । ଯଶସ୍ୱୀ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୧୪ଟି ମ୍ୟାଚ ଖେଳି ୧୬୩.୬୧ ଷ୍ଟ୍ରାଇକ ରେଟରେ ୬୨୫ ରନ୍ ସଂଗ୍ରହ କରିଥିଲେ । ସେଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଥିଲା । ଏଥିସହିତ ଆଇପିଏଲ ଇତିହାସର ଦ୍ରୁତ ଅର୍ଦ୍ଧଶତକ ରେକର୍ଡ ଯଶସ୍ୱୀଙ୍କ ନାମରେ ରହିଛି । ସେହିପରି ବାମ ହାତୀ ବୋଲର ତିଲକ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୧ଟି ମ୍ୟାଚ ଖେଳିବା ସହିତ ୩୪୩ ରନ୍ ସଂଗ୍ରହ କରିଥିଲେ ।
ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ୍: ଈଶାନ କିଶନ (ୱିକେଟ କିପରି), ଶୁବମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ସଞ୍ଜୁ ସାମସନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଈ, ଅର୍ଶଦୀପ ସିଂହ, ଉମରାନ ମଲିକ, ଆବେଶ ଖାନ, ମୁକେଶ କୁମାର ।