ଭୁବନେଶ୍ୱର: ପିଙ୍କ୍ ହ୍ୱାଟ୍ସଆପ୍ ଡାଉନଲୋଡ୍ ନକରିବାକୁ ଓଡ଼ିଶା ପୋଲିସ୍ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏକ ଟ୍ୱିଟର ବାର୍ତ୍ତାରେ ଓଡ଼ିଶା ପୁଲିସ୍ ପକ୍ଷରୁ କୁହାଯାଇଛି, ପିଙ୍କ୍ ହ୍ୱାଟ୍ସଆପ୍ ସାଇବର ଲୁଟେରାଙ୍କ ଏକ ନୂଆ କୌଶଳ । ଯଦି ମୋବାଇଲକୁ ହ୍ୱାଟ୍ସଆପ୍ ଅପ୍ଡେଟ୍ କରିବାକୁ କୌଣସି ଲିଙ୍କ୍ ଆସୁଛି, ତା’ହେଲେ ଭୁଲରେ ବି ସେହି ଲିଙ୍କ୍ରେ କ୍ଲିକ୍ ନ କରିବାକୁ ପରାମର୍ଶ ଦିଆଯାଇଛି । ସେହି ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଫୋନରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ସଚେତନ ହେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି ।
ସାବଧାନ!
ପିଙ୍କ୍ ହ୍ଵାଟ୍ସଆପ ହେଉଛି ସାଇବର ଠକଙ୍କ ଏକ ନୂତନ କୌଶଳ।ଯଦି ଆପଣଙ୍କ ମୋବାଇଲକୁ ହ୍ଵାଟ୍ସଆପ୍ ଅପଡେଟ୍ କରିବାକୁ କିଛି ଲିଙ୍କ ଆସୁଛି ଭୁଲରେ ବି ସେହି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ । କ୍ଲିକ କରିବା ମାତ୍ରେ ଆପଣଙ୍କ ଫୋନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି । pic.twitter.com/7HLJJCcPoW
— Odisha Police (@odisha_police) July 8, 2023
ଆଜିକାଲି ସାଇବର ଲୁଟେରା ମାନେ ପିଙ୍କ୍ ହ୍ଵାଟ୍ସଆପ୍ ନାମରେ ଏକ ବଡ଼ ସ୍କାମ୍ ଚଲାଇଛନ୍ତି। ଓରିଜିନାଲ ହ୍ୱାଟ୍ସଆପ୍ଠାରୁ ଏଥିରେ ଅଧିକ ଏବଂ ଭଲ ଫିଚର୍ସ ରହିଛି ବୋଲି କହି ମାର୍କେଟିଂ କରୁଛନ୍ତି ସାଇବର ଠକ। ଏମିତିକି ପିଙ୍କ୍ ହ୍ୱାଟ୍ସଆପ୍ ବ୍ୟବହାର ପାଇଁ ଲୋକଙ୍କ ହ୍ଵାଟ୍ସଆପ୍କୁ ଏକ ଲିଙ୍କ୍ କିମ୍ବା ମେସେଜ୍ ଆସୁଛି। ଆଉ ଏହି ହ୍ଵାଟ୍ସଆପ୍ ମେସେଜ୍ ଲିଙ୍କ୍ରେ କ୍ଲିକ୍ କରି ପିଙ୍କ୍ ହ୍ଵାଟ୍ସଆପ୍ ଡାଉନ୍ଲୋଡ୍ କରିବା ପରେ ୟୁଜର୍ସଙ୍କ ମୋବାଇଲ ହ୍ୟାକ ହେଉଛି।
ତେବେ ହ୍ୱାଟ୍ସଆପ୍ ପିଙ୍କ୍ ଲିଙ୍କ୍ ଏକ ଅଫିସିଆଲ୍ ଅପ୍ଡେଟ୍ ଭାବେ ଆସୁଛି। ତେଣୁ ବ୍ୟବହାରକାରୀମାନେ ତାହାକୁ ସହଜରେ ବିଶ୍ବାସ କରୁଛନ୍ତି। ସେହି ଲିଙ୍କ୍ରେ ଏକ ଏପିକେ ଡାଉନ୍ଲୋଡ୍ କରିବାକୁ ନିର୍ଦେଶ ରହିଛି। ଯେଉଁମାନେ ଉକ୍ତ ଲିଙ୍କ୍ରେ କ୍ଲିକ୍ କରିବେ ସେମାନଙ୍କ ଫୋନ୍ ହ୍ୟାକ୍ ହୋଇଯିବ । ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ଆପ୍ ଷ୍ଟୋର୍ ବାହାରେ କୌଣସି ଆପ୍ କିମ୍ବା ଏପିକେ ଡାଉନ୍ଲୋଡ୍ କରିବା ଅନୁଚିତ। ସେହି ଅପରିଚିତ ଆପ୍ଗୁଡ଼ିକ ଫୋନ୍ରୁ ଫଟୋ, ଏସ୍ଏମ୍ଏସ୍ ଓ ଫୋନ୍ ନମ୍ବର ଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରିନେବେ। ବ୍ୟାଙ୍କ ସମ୍ପର୍କିତ ପାସ୍ୱାର୍ଡକୁ ମଧ୍ୟ ହ୍ୟାକର୍ମାନେ ଚୋରି କରିପାରିବେ।