fbpx

ସିନ୍ଦୂର ହେଉଛି ସୌଭାଗ୍ୟର ପ୍ରତୀକ, ଜାଣନ୍ତୁ କ’ଣ ରହିଛି ଏହାର ଧାର୍ମିକ ମହତ୍ତ୍ୱ

ହିନ୍ଦୁଧର୍ମରେ ସଧବା ସ୍ତ୍ରୀମାନେ ପ୍ରତ୍ୟେକ ଦିନ ସିନ୍ଦୂର ଲଗାଇବା ଅପରିହାର୍ଯ୍ୟ । ସାଧାରଣଭାବେ କହିବାକୁ ଗଲେ ମହିଳାଙ୍କ ମଥାରେ ସିନ୍ଦୂର ଲଗାଇବା ଦ୍ୱାରା ଏହାକୁ ସଧବାର ପ୍ରତୀକ ବୋଲି କୁହାଯାଇଥାଏ। ହିନ୍ଦୁଧର୍ମର ପରମ୍ପରା ଅନୁଯାୟୀ ସଧବା ନାରୀମାନଙ୍କୁ ଷୋହଳ ଶୃଙ୍ଗାର କରିବାକୁ ପଡ଼ିଥାଏ। ଏହି ଷୋହଳ ଶୃଙ୍ଗାର ମଧ୍ୟରୁ ସିନ୍ଦୂର ମୁଖ୍ୟ ଶୃଙ୍ଗାର ଅଟେ। ମଥାରେ ସିନ୍ଦୂର ହେଉଛି ଜଣେ ସଧବା ହିନ୍ଦୁ ନାରୀର ପରିଚୟ। ଏହାକୁ ମଧ୍ୟ କୁହାଯାଏ ସୌଭାଗ୍ୟର ପ୍ରତୀକ। ପ୍ରତିଟି ହିନ୍ଦୁ ଘରେ ଏହା ଏକ ପାରମ୍ପରିକ ସାମଗ୍ରୀ। ଦେବ କର୍ମରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଏହାର ରହିଛି ବିଶେଷ ଗୁରୁତ୍ୱ…

ସିନ୍ଦୂର ହେଉଛି ହିନ୍ଦୁ ଘରର ଏକ ପାରମ୍ପରିକ ସାମଗ୍ରୀ। ଏହାକୁ ସଧବା ନାରୀ ପ୍ରତିଦିନ ମଥାରେ ଲଗାଏ। ବିଭିନ୍ନ ପୂଜାବିଧି ଓ ଉତ୍ସବଗୁଡ଼ିକରେ ମହିଳା, ପୁରୁଷ ସମସ୍ତେ ମଥାରେ ସିନ୍ଦୂର ଲଗାଇଥାନ୍ତି। ମନ୍ଦିରରେ ଦେବଦେବୀଙ୍କ ମଥାରେ ଲଗାଇବା ଲାଗି ଏହା ସବୁଠୁ ଅଧିକ ବ୍ୟବହାର କରାଯାଇଥାଏ। ତେବେ ଏହାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି…
ରହିଛି ଧାର୍ମିକ ମହତ୍ତ୍ୱ:
– ବିବାହ ବେଳେ ବର କନ୍ୟାଙ୍କ ମଥାରେ ସିନ୍ଦୂର ଲଗାଇବା ପରମ୍ପରା ବହୁ ପୁରାତନ କାଳରୁ ଚଳି ଆସୁଛି। କୁହାଯାଏ ମା’ ସୀତା ନିଜ ଶୃଙ୍ଗାରରେ ପ୍ରତିଦିନ ମଥାରେ ସିନ୍ଦୂର ଲଗାନ୍ତି। ଥରେ ହନୁମାନ ତାଙ୍କୁ ଏହାର କାରଣ ପଚାରିବାରୁ ସେ କହିଲେ, ଏହାଦ୍ୱାରା ପ୍ରଭୁ ଶ୍ରୀରାମ ପ୍ରସନ୍ନ ହୋଇଥାନ୍ତି। ଆଉ ପ୍ରସନ୍ନ ରହିବା ଦ୍ୱାରା ମଣିଷର ଶରୀର ସୁସ୍ଥ ରହିଥାଏ ଏବଂ ଆୟୁଷ ବୃଦ୍ଧି ହୋଇଥାଏ।
– କୁହାଯାଏ ସିନ୍ଦୂର ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ଏବଂ ଏହାର ଲାଲ୍‌ ରଙ୍ଗରେ ମା’ ପାର୍ବତୀଙ୍କ ଉର୍ଜା ରହିଥାଏ; ଯାହା କି ନାରୀକୁ ଅଖଣ୍ଡ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦେଇଥାଏ।
– ମା’ ଲକ୍ଷ୍ମୀଙ୍କର ମଧ୍ୟ ସିନ୍ଦୂର ଖୁବ୍‌ ପ୍ରିୟ। ତେଣୁ ତାଙ୍କ ପୂଜାରେ ପ୍ରଥମେ ଏହା ବ୍ୟବହାର କରାଯାଏ। ପୌରାଣିକ କଥା ଅନୁଯାୟୀ ମା’ ଲକ୍ଷ୍ମୀ ପୃଥିବୀରେ ୫ଟି ସ୍ଥାନରେ ବାସ କରନ୍ତି; ଯାହା ମଧ୍ୟରୁ ପ୍ରଥମ ସ୍ଥାନ ହେଉଛି ନାରୀର ମଥା, ଯେଉଁଠି ସିନ୍ଦୂର ଶୋଭାପାଏ। ତେଣୁ ଏହାକୁ ଲଗାଇବା ଦ୍ୱାରା ଘରେ ସୁଖଶାନ୍ତି ଆସେ, ସୌଭାଗ୍ୟ ପ୍ରାପ୍ତି ହୁଏ। ସେଥିପାଇଁ ମହିଳାଙ୍କୁ ଦେବୀ ବୋଲି କୁହାଯାଇଥାଏ।

ସୁସ୍ଥ ରଖେ ଓ ବୃଦ୍ଧିକରେ ସୌନ୍ଦର୍ଯ୍ୟ: ବୈଜ୍ଞାନିକ ତଥ୍ୟ ଅନୁଯାୟୀ ସିନ୍ଦୂରରେ ଥିବା ପାରା ଧାତୁ ଶରୀରରୁ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ଏବଂ ମନକୁ ପ୍ରସନ୍ନ ରଖିଥାଏ। ତା’ଛଡା ପ୍ରତିଦିନ ମଥାରେ ସିନ୍ଦୂର ଲଗାଇଲେ ଏହା ମୁଣ୍ଡ ବିନ୍ଧା, ଅନିଦ୍ରା ଏବଂ ଅନ୍ୟ କେତେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ତା’ଛଡା ଏଥିରେ ଥିବା ଉପାଦାନ ବୟସ ବୃଦ୍ଧିର ଛାପ ବା ଏଜ୍‌ଲାଇନ୍‌ କମ୍‌ କରି ସୁନ୍ଦରତା ବଢ଼ାଇଥାଏ।

ସୁଖମୟ କରେ ଦାମ୍ପତ୍ୟ ଜୀବନ: ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ସ୍ତ୍ରୀ ମଥାରେ ସିନ୍ଦୂର ଲଗାଇଲେ ଏହା ସ୍ବାମୀଙ୍କୁ ବିଭିନ୍ନ ସଙ୍କଟରୁ ରକ୍ଷା କରିବା ସହ ଆୟୁଷ ବୃଦ୍ଧି କରିଥାଏ। ଯେଉଁଥିପାଇଁ ବିବାହ ସମୟ ବ୍ୟତୀତ କର୍‌ବାଚୌଥ୍‌, ନବରାତ୍ର, ଦୀପାବଳି ଏବଂ ଅନ୍ୟ କେତେକ ପୂଜା ପର୍ବରେ ସ୍ବାମୀ ସ୍ତ୍ରୀଙ୍କ ମଥାରେ ସିନ୍ଦୂର ଭରିବାକୁ ଖୁବ୍‌ ଶୁଭ ବୋଲି ବିଚାର କରାଯାଇଥାଏ। ଏହା ଦାମ୍ପତ୍ୟ ଜୀବନକୁ ଶୁଖମୟ କରିଥାଏ ବୋଲି ବିଶ୍ୱାସ ରହିଛି।

ନକଲି ସିନ୍ଦୂର ତ୍ୱଚା ପ୍ରତି ହାନିକାରକ

କେବଳ ଭାରତ ନୁହେଁ, ଆମେରିକା ସମେତ ବହୁ ଦେଶରେ ସିନ୍ଦୂରର ବ୍ୟବହାର ରହିଛି। ହେଲେ ବର୍ତ୍ତମାନ ଭାରତ ଓ ଆମେରିକାରେ ମିଳୁଥିବା ସିନ୍ଦୂର ହାନିକାରକ ହୋଇପାରେ ବୋଲି ଗବେଷକମାନେ ଚେତାଇ ଦେଇଛନ୍ତି। କାରଣ ସେଥିରେ ଅସୁରକ୍ଷିତ ସୀସା ପରିମାଣ ରହୁଥିବା ଗବେଷଣାରୁ ସେମାନେ ଜାଣିବାକୁ ପାଇଛନ୍ତି। କେତେକ ନିର୍ମାଣକାରୀ ସଂସ୍ଥା ସିନ୍ଦୂରକୁ ଆଖିଦୃଶିଆ ଲାଲରଙ୍ଗ କରିବା ପାଇଁ ସୀସା ଟେଟ୍ରୋକ୍ସାଇଡ୍‌ ବ୍ୟବହାର କରୁଛନ୍ତି।

Get real time updates directly on you device, subscribe now.