fbpx

୧୫ ବର୍ଷରେ ଦାରିଦ୍ର୍ୟତାରୁ ମୁକୁଳିଛନ୍ତି ୪୧.୫ କୋଟି ଭାରତୀୟ: ଜାତିସଂଘର ରିପୋର୍ଟ

ନୂଆଦିଲ୍ଲୀ: ଦରବୃଦ୍ଧି ତଥା ବେକାରୀ ସମସ୍ୟା ମଧ୍ୟରେ ଆସିଛି ଏକ ଖୁସି ଖବର । ଜାତିସଂଘର ଏକ ରିପୋର୍ଟ ଅନୁସାରେ, ଗତ ୧୫ ବର୍ଷ ମଧ୍ୟରେ ପ୍ରାୟ ୪୧ କୋଟି ୫ ଲକ୍ଷ ଭାରତୀୟ ଦରିଦ୍ରତାରୁ ମୁକୁଳି ପାରିଛନ୍ତି । ଅର୍ଥାତ୍ ସେମାନେ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି । ଗ୍ଲୋବାଲ୍ମ ଲ୍ଟିଡାଇମେନସିଆଲ୍ ପୋଭାର୍ଟି ଇଣ୍ଡେକ୍ସ(ଏମ୍ପିଆଇ)ର ଆକଳନ ଅନୁସାରେ ଏହି ସଂଖ୍ୟା ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି ଯେ, ୨୦୦୫ରୁ ୨୦୨୧ ମଧ୍ୟରେ ବିଶ୍ୱର ୨୫ଟି ଦେଶ ଗତ ୧୫ ବର୍ଷ ମଧ୍ୟରେ ସେମାନଙ୍କର ଏମ୍ପିଆଇ ମୂଲ୍ୟକୁ ହ୍ରାସ କରିବାରେ ସଫଳ ହୋଇଛନ୍ତି । ଏହି ତାଲିକାରେ ଭାରତ ବ୍ୟତୀତ ଚୀନ, କାମ୍ବୋଡିଆ, କଙ୍ଗୋ, ହୋଣ୍ଡୁରସ୍, ଇଣ୍ଡୋନେସିଆ, ମରକ୍କୋ, ସର୍ବିୟା ଏବଂ ଭିଏତନାମା ମଧ୍ୟ ଏହି ସଂଖ୍ୟାକୁ ହ୍ରାସ କରିବାରେ ସଫଳ ହୋଇଛନ୍ତି ।

ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି) ଅନୁସାରେ, ୨୦୦୨ରୁ ୨୦୨୨ ପର୍ଯ୍ୟନ୍ତ ବିଭିନ୍ନ ଦେଶକୁ ବିଭିନ୍ନ ଉପାୟରେ ବିଶ୍ଳେଷଣ କରାଯାଇଥିଲା । ତା’ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ସମଗ୍ର ପ୍ରକ୍ରିୟାରେ ମୋଟ ୮୧ଟି ଦେଶକୁ ସାମିଲ କରାଯାଇଥିଲା । ଏଥିରେ ସେହି ଦେଶର ଅଧିବାସୀଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କେତେ ସୁବିଧା ରହିଛି, ତା’ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିଭଳି ଗୃହ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଭଳି ସୁବିଧା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା ।

ଏହି କ୍ଷେତ୍ରରେ ଭାରତର ରିପୋର୍ଟ କହୁଛି ଯେ, ୨୦୦୫/୨୦୦୬ ମସିହାରେ ଯେଉଁଠାରେ ୫୫% (ପ୍ରାୟ ୬୪.୪୫ କୋଟି) ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ, ୨୦୧୯/୨୦୨୧ ସୁଦ୍ଧା ଏହି ସଂଖ୍ୟା ୧୬% (୨୩କୋଟି) କୁ ହ୍ରାସ ପାଇଛି । ଏହି ଅନୁଯାୟୀ, ଭାରତରେ ୧୫ ବର୍ଷରେ ୪୧.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରି ଆସିଛନ୍ତି । ଯେଉଁଥିପାଇଁ ଦାରିଦ୍ର୍ୟ ସୂଚକାଙ୍କରେ ଭାରତର ପ୍ରଦର୍ଶନ ଉନ୍ନତ ହୋଇଛି । ଏହା ବ୍ୟତୀତ ଜାତିସଂଘର ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୨୦୦୫/୦୬ରୁ ୨୦୧୯/୨୧ ମଧ୍ୟରେ ଭାରତରେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ଲୋକଙ୍କ ସଂଖ୍ୟା ୪୪%ରୁ ୧୨%କୁ ହ୍ରାସ ପାଇଛି ।

ସେହିପରି ଏହି ସମୟ ମଧ୍ୟରେ ଶିଶୁ ମୃତ୍ୟୁହାର ୪%ରୁ ହ୍ରାସ ପାଇ ୧.୫%ରେ ପହଞ୍ଚିଛି । ସବୁଠୁ ଗରିବ, ଯେଉଁମାନଙ୍କର ରୋଷେଇ ପାଇଁ କେବଳ କାଠକୁ ଜାଳେଣି ଭାବେ ବ୍ୟବହାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା, ସେମାନଙ୍କ ସଂଖ୍ୟା ୫୩% ରୁ ୧୪% କୁ ହ୍ରାସ ପାଇଛି । ଏଥି ସହିତ, ସ୍ୱଚ୍ଛତାରୁ ବଞ୍ଚିତ ଲୋକଙ୍କ ସଂଖ୍ୟା ୫୦%ରୁ ୧୧.୩% କୁ ହ୍ରାସ ପାଇଛି । ଏହି ୧୫ ବର୍ଷରେ ପାନୀୟ ଜଳରୁ ବଞ୍ଚିତ ଲୋକଙ୍କ ସଂଖ୍ୟା ମଧ୍ୟ ୧୬% ରୁ ୩% କୁ ହ୍ରାସ ପାଇଛି ।

Get real time updates directly on you device, subscribe now.