ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ୨୦୨୩ ମସିହାର ପ୍ରଥମ ୬ମାସ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ୬୨ ହଜାର ୮୬୯ ମାମଲା ଫଇସଲା ହୋଇଛି । ଫଇସଲା ହାର ୧୨୬ ଦଶମିକ ୬୬ ପ୍ରତିଶତ ଥିବା ହାଇକୋର୍ଟ ସୂତ୍ରରୁ ଜଣାପଡିଛି । ଏହି ସମୟ ମଧ୍ୟରେ ୪୯ ହଜାର ୬୩୫ ମାମଲା ଦାୟର ହୋଇଥିଲା । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଫଇସଲା ହାର ଶତକଡା ୫ ଦଶମିକ ୦/୪ ଭାଗ ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ ଚଳିତବର୍ଷ ପ୍ରଥମ ୬ ମାସରେ ଅଧିକ ୩ ହଜାର ୧୯ ମାମଲା ଫଇସଲା ହୋଇଛି ।
ଚଳିତବର୍ଷ ପ୍ରଥମ ୬ ମାସରେ ହାଇକୋର୍ଟରେ ୧୩ ଶହ ୬୮ଟି ରାୟ ପ୍ରକାଶ ପାଇଥିଲାବେଳେ ୨୦୨୧ରେ ୩୧୪ଟି ଓ ୨୦୨୨ରେ ୯୮୨ଟି ରାୟ ପ୍ରକାଶ ପାଇଥିଲା । ୨୦୨୩ ଜୁନ୍ ୩୦ ତାରିଖ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ବିଚାରଧିନ ମାମଲା ସଂଖ୍ୟା ୧ ଲକ୍ଷ ୪୬ ହଜାର ୫୮୨ ଥିଲା । ବିଚାରପତି ସଂଖ୍ୟା ବୃଦ୍ଧି, ବିଗତ ବର୍ଷଗୁଡ଼ିକରେ ନିଆଯାଇଥିବା ପଦକ୍ଷେପ ଏବଂ ନ୍ୟାୟିକ ସମୟ ହ୍ରାସ ଯୋଗୁଁ ମାମଲା ଫଇସଲା ସଂଖ୍ୟା ବୃଦ୍ଧି ପାଇଛି । ବିଭିନ୍ନ ନିମ୍ନ ଅଦାଲତଗୁଡ଼ିକରେ ମଧ୍ୟ ମାମଲା ଫଇସଲା ହାର ଗତ ୨ ବର୍ଷ ତୁଳନାରେ ବୃଦ୍ଧି ପାଇଛି ।
୨୦୨୧ ମସିହାର ପ୍ରଥମ ୬ମାସରେ ୧ ଲକ୍ଷ ୮୯ ହଜାର ୩୧୫ ମାମଲା ରୁଜୁ ହୋଇଥିବାବେଳେ ୯୦ ହଜାର ୨୩୮ ମାମଲା ଫଇସଲା ହୋଇଥିଲା । ୨୦୨୨ରେ ସେହି ଅବଧି ମଧ୍ୟରେ ୨ ଲକ୍ଷ ୩୫ ହଜାର ୬୨୦ ମାମଲା ଦାୟର ହୋଇଥିଲାବେଳେ ୧ ଲକ୍ଷ ୫୫ ହଜାର ୭୧୨ ମାମଲା ନିମ୍ନ ଅଦାଲତଗୁଡ଼ିକରେ ଫଇସଲା ହୋଇଥିଲା । ନୂଆ ଅଦାଲତ ପ୍ରତିଷ୍ଠା, ଟ୍ରାଏଲକୋର୍ଟ ବିଚାରପତିଙ୍କ ସଂଖ୍ୟାବୃଦ୍ଧି, ଟ୍ରାଏଲକୋର୍ଟଗୁଡ଼ିକ ମଧ୍ୟରେ ମାମଲାର ବଣ୍ଟନ, ବିଗତ ବର୍ଷଗୁଡ଼ିକରେ ଗ୍ରହଣ କରାଯାଇଥିବା ଡିଜିଟାଲ ପଦକ୍ଷେପ ଓ ନ୍ୟାୟିକ ସମୟ ହ୍ରାସ ପାଇବାରୁ ନିମ୍ନ ଅଦାଲତ ଓ ହାଇକୋର୍ଟରେ ମାମଲା ଶୁଣାଣି ଓ ଫଇସଲା କ୍ଷେତ୍ରରେ ଏହିଭଳି ଅଭିବୃଦ୍ଧି ହୋଇଛି ।