fbpx

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଜିସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ଏପରିସ୍ଥିତିରେ ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା ୩ ଦିନ ଭଲ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ରପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୂଚନାଯୋଗ୍ୟ, ପଶ୍ଚିମ ମଧ୍ୟ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆସନ୍ତା ୧୬ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।

ଅନ୍ୟପଟେ ଚଳିତ ମାସରେ ଦୁଇଟି ଲଘୁଚାପ ହେବାର ସମ୍ବାବନା ରହିଛି । ୧୮ରୁ ୨୧ ମଧ୍ୟରେ ଉତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । ଏହାର ପ୍ରଭାବରେ ରାଜ୍ୟରେ ମଧ୍ୟମରୁ ଅଧିକ ବର୍ଷା ହେବ । ସେହିପରି ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହୋଇପାରେ । ଏହାର ପ୍ରଭାବରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.