fbpx

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି; ୬ କୋଟି ୪୧ ଲକ୍ଷ ଟଙ୍କା ଅନୁମୋଦନ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମର ବିକାଶ ହେବ । ଏହାକୁ ଏକ ପର୍ଯ୍ୟଟନସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବା ସହ ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ସମ୍ବଲପୁର ଗସ୍ତରେ ଥିବା ଫାଇଭ୍‍-ଟି ସଚିବ ଭି.କେ.ପାଣ୍ଡିଆନ ଆଜି ଖୀଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏହି ଗ୍ରାମର ବିକାଶ ସମ୍ପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ।

ଏହି ପ୍ରକଳ୍ପରେ ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ସ୍ଥାପନ ହେବା ସହ ସ୍ମୃତି ସଦନ ନିର୍ମାଣ କରାଯିବ । ଏହା ବ୍ୟତୀତ ପାଠାଗାର ଓ ସଂଗ୍ରହାଳୟର ପୁନରୁଦ୍ଧାର କରାଯିବ । ଉଦ୍ୟାନର ବିକାଶ କରାଯିବା ସହ ସୁନ୍ଦର ଭାବରେ ଆଲୋକୀକରଣ ହେବ । ମଞ୍ଚ ଏବଂ ସମାବେଶ ସ୍ଥଳର ମଧ୍ୟ ଉନ୍ନତିକରଣ କରାଯିବ ବୋଲି ଜଣାପଡ଼ିଛି ।

ବୀର ସୁରେନ୍ଦ୍ର ସାଏ ଓଡିଆ ଜାତିର ପ୍ରାତସ୍ମରଣୀୟ ବ୍ୟକ୍ତିତ୍ୱ। ବୀର ସୁରେନ୍ଦ୍ର ସାଏ ତାଙ୍କର ଦୃଢ ନେତୃତ୍ୱ, ବିଚକ୍ଷଣ ରଣ କୌଶଳ ତଥା ନିଜର ପ୍ରତିଭା ଓ ଦକ୍ଷତା ବଳରେ ବ୍ରିଟିସ ସରକାରଙ୍କ ନିଦ ହଜାଇ ଦେଇଥିଲେ। ସେହି ମହାନ ସଂଗ୍ରାମୀଙ୍କର ଜନ୍ମସ୍ଥଳୀ ଖୀଣ୍ଡା, ପ୍ରତି ଓଡିଆଙ୍କ ପାଇଁ ଏକ ପବିତ୍ର ପୀଠ। ସ୍ୱାଧିନତା ସଂଗ୍ରାମରେ ତାଙ୍କର ମହାନ ଅବଦାନ ଯୁବସମାଜକୁ ସର୍ବଦା ପ୍ରେରଣା ଦେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.