fbpx

କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ‘ସମର୍ଥ ପୋର୍ଟାଲ’: ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ଦାୟିତ୍ୱ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ରାଜ୍ୟର ସମସ୍ତ ସ୍ୱୟଂଶାସିତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସମର୍ଥ ପୋର୍ଟାଲ କାର୍ଯ୍ୟକ୍ଷମ ହେବ । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ‘ସମର୍ଥ’ ପୋର୍ଟାଲ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଏହି ପୋର୍ଟାଲରେ ଉଚ୍ଚତର ଶିକ୍ଷାନୁଷ୍ଠାନମାନଙ୍କର ସମସ୍ତ ତଥ୍ୟ ଉପଲବ୍ଧ ହେବ । ଏଥିନିମନ୍ତେ ନୋଡାଲ ଅଫିସର୍‍ ଓ ସହାୟକ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯିବ ।

ନାମଲେଖାଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନର ତଥ୍ୟ ବଳକା ସିଟ୍‍, ଶିକ୍ଷକ ଓ ଗବେଷଣା ସମ୍ପର୍କିତ ତଥ୍ୟ ଆଦି ଏଥିରେ ମିଳିପାରିବ । ରାଜ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷଙ୍କୁ ରାଜ୍ୟ ନୋଡାଲ ଅଧିକାରୀଭାବେ ଦାୟିତ୍ୱ ଦିଆଯାଇଛି । ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ପୋର୍ଟାଲକୁ କାର୍ଯ୍ୟକାରୀ କରାଯିବ ।

ଏହି ପୋର୍ଟାଲ ଗଠନ ନେଇ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ତୁରନ୍ତ ଅଧିକାରୀମାନଙ୍କୁ ନିଯୁକ୍ତ କରିବା ପାଇଁ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟକାରୀ ହେଉଥିବା ‘ସାମ୍‍ସ’ ପୋର୍ଟାଲ ଘରୋଇ ସଂସ୍ଥା ହୋଇଥିବାବେଳେ ‘ସମର୍ଥ’ ପୋର୍ଟାଲ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସରକାରୀ ସଂସ୍ଥା ।

ସମର୍ଥ ପୋର୍ଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ବିଦେଶର ଆଗ୍ରହ ପ୍ରକାଶ କରୁଥିବା ଛାତ୍ରଛାତ୍ରୀ ମଧ୍ୟ ଶିକ୍ଷାନୁଷ୍ଠାନ ବାବଦରେ ସମସ୍ତ ତଥ୍ୟ ପାଇ ପାରିବେ। ତେବେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ସମର୍ଥ ପୋର୍ଟାଲ କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତାବ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି। ମାତ୍ର ସାମ୍ସ ପୋର୍ଟାଲ ଘରୋଇ ସଂସ୍ଥା ହୋଇଥିବା ବେଳେ ସମର୍ଥ ପୋର୍ଟାଲ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସରକାରୀ ସଂସ୍ଥା। ଏହା ଦ୍ୱାରା କଲେଜ୍‌‌ ଓ ବିଶ୍ୱବିଦ୍ୟାଳୟମାନଙ୍କର ସମସ୍ତ ତଥ୍ୟ ଗୋଟିଏ ପୋର୍ଟାଲରେ ଉପଲବ୍ଧ ହେବ। ରାଜ୍ୟରେ ଏହାକୁ କାର୍ଯ୍ୟକ୍ଷମ ଲାଗି ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷଙ୍କୁ ରାଜ୍ୟ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

Get real time updates directly on you device, subscribe now.