fbpx

ରୁପା ଦାଶଙ୍କର ପୁସ୍ତକ ‘ଲିଡ୍‍ହର’ ଉନ୍ମୋଚିତ

ଭୁବନେଶ୍ୱର: ତାରିଖ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳଠାରେ ଭାରତୀୟ ଆମେରିକା ନିବାସୀ ରୁପା ଦାଶଙ୍କର ଇଂରାଜୀ ପୁସ୍ତକ ‘ଲିଡ୍‍ହର’ ଉନ୍ମୋଚିତ ହୋଇଛି । ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି । ପୁସ୍ତକରେ ବିଶ୍ୱର ବିଭିନ୍ନ ପ୍ରାନ୍ତରର ୬୦ ଜଣ ସଶକ୍ତ ନାରୀଙ୍କ କଥା ଉଲ୍ଲେଖ ରହିଛି । ନାରୀମାନେ କିପରି ବିଭିନ୍ନ ବାଧକ ସତ୍ତ୍ୱେ ନିଜେ ସଶକ୍ତ ହୋଇପାରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ପାଲଟିଛନ୍ତି; ତା’ର ଉଦାହରଣ ଦେଖିବାକୁ ମିଳିଛି ପୁସ୍ତକରେ ।

ପୁସ୍ତକ ଉନ୍ମୋଚନ କରି ଡ. ଚାଟାର୍ଜୀ କହିଛନ୍ତି, ନିଜ ଲକ୍ଷ୍ୟ ସ୍ଥିର କରିବା ସହ ଆତ୍ମବିଶ୍ୱାସ ଓ ନିଷ୍ଠା ରହିଲେ ଜଣେ ନିଶ୍ଚୟ ସଫଳ ହୋଇପାରିବ । ସେଥିପାଇଁ ପିଲାଟିଦିନୁ ନିଜର ଦିଶା ବାଛିବା ଦରକାର । ଆଉ ସେହି ଦିଶା ସଫଳ କରିବା ଲାଗି ସବୁ ପ୍ରକାର ଚେଷ୍ଟା କରିବା ଉଚିତ ବୋଲି ସେ କହିଛନ୍ତି ।

ସେହିପରି ପୁସ୍ତକର ଲେଖିକା ରୁପା ଦାଶ କହିଛନ୍ତି, ଆଜିକାଲି ମହିଳାମାନେ କେବଳ ସଫଳ ହେଉନାହାନ୍ତି ବରଂ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟୁଛନ୍ତି । ଅନ୍ୟମାନଙ୍କୁ ପଥ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଆଉ ସଫଳ ହେବା ଦିଗରେ ସମସ୍ତଙ୍କୁ ଉତ୍ସାହ ଦେଉଛନ୍ତି । ସାରା ବିଶ୍ୱରେ ଏମିତି ଅନେକ ନାରୀଙ୍କ ଉଦାହରଣ ରହିଛି । ଏଣୁ ସଫଳ ହେବା ପାଇଁ ସ୍ୱପ୍ନ ଦେଖିବା ଉଚିତ ଆଉ ତାକୁ ହାସଲ କରିବା ପାଇଁ ପରିଶ୍ରମ କରିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି ।

ପୁସ୍ତକର ଡିଜାଇନ୍‍ କରିଛନ୍ତି ରୁପା ଦାଶଙ୍କ ଦଶ ବର୍ଷୀୟ ଝିଅ ତଥା ପଞ୍ଚମ ଶ୍ରେଣୀ ଛାତ୍ରୀ ଆୟାତି ଦାଶ କର । ଏହି ଅବସରରେ ଆୟାତି କହିଛନ୍ତି, ନାରୀମାନେ କେଉଁ କ୍ଷେତ୍ରରେ କମ୍‍ ନୁହନ୍ତି । ଯଦିଓ ଆଜି ବି ସମାଜରେ ବିଭିନ୍ନ ସମୟରେ ନାରୀମାନେ ଉପେକ୍ଷିତ ହେଉଛନ୍ତି, ସମାଲୋଚନାର ଶିକାର ହେଉଛନ୍ତି କିନ୍ତୁ ସେଥିରେ ଭାଙ୍ଗିପଡ଼ିବା ଉଚିତ ନୁହେଁ । କାରଣ, ନାରୀ ପାଖରେ ସବୁ ଶକ୍ତି ଅଛି । ସେ ନିଜେ ସଶକ୍ତ ହୋଇପାରିବା ସହ ଅନ୍ୟଙ୍କୁ ମଧ୍ୟ ସଶକ୍ତ ହେବା ଦିଗରେ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି । ଏହାସହ ଜଣେ ଛୋଟ ଝିଅ କିପରି ରୋଗରେ ପୀଡ଼ିତ ହୋଇ ମଧ୍ୟ ଭାଙ୍ଗି ନପଡ଼ି ନିଜର ସ୍ୱପ୍ନ ସାକାର କରିଛି ତାହା ଏକ ଭିଡିଓ ଉପସ୍ଥାପନା ମାଧ୍ୟମରେ ଆୟାତି ଉପସ୍ଥାପନ କରିଛନ୍ତି ।

ରୁପା ଦାଶ ଆମେରିକାର ଲସ୍‍ ଆଞ୍ଜେଲେସ୍‍ରେ ଜଣେ ଉଦ୍ୟୋକ୍ତା ଭାବେ ପ୍ରତିଷ୍ଠିତ। ସେ ‘ୱାଲ୍ଡ ଓମ୍ୟାନ୍ ଫାଉଣ୍ଡେସନ୍‍’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୱର୍ଲଡ ଓଡ଼ିଶା ସୋସାଇଟିର ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ ଅଛନ୍ତି । ହ୍ୱାଇଟ୍‍ ହାଉସ୍‍ ଦ୍ୱାରା ସ୍ୱୀକୃତ ବିଶ୍ୱର ସବୁଠୁଁ ବଡ଼ ମହିଳା ଉଦ୍ୟୋଗୀ ନେଟ୍‍ୱର୍କର ପ୍ରଥମ ଭାରତୀୟ ଆମେରିକୀୟ ପରିଚାଳନା ନିର୍ଦ୍ଦେଶିକା ସେ। ସେହିପରି ଦଶ ବର୍ଷୀୟ ଆୟାତି ଅନ୍‍ଲାଇନ୍‍ ପ୍ଲାଟ୍‍ଫର୍ମ ‘କ୍ୱିନ୍‍ଡମ୍‍ ମେଟାଭର୍ସ’ର ସହ-ପ୍ରତିଷ୍ଠାତ୍ରୀ।

Get real time updates directly on you device, subscribe now.