ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଜଣାଶୁଣା ଗାୟିକା ଓ ଅଭିନେତ୍ରୀ ଜାନେ ବିରକିନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ବିରକିନଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଇଂରାଜୀ-ଫ୍ରେଚରେ ବିଶେଷ ସୁଖ୍ୟାତି ଅର୍ଜନ କରିଥିବା ଏହି ଗାୟିକା ସଙ୍ଗୀତଜ୍ଞ ସର୍ଜ ଗେନସବର୍ଗଙ୍କ ସହ ବେଶ୍ ନିବିଡ଼ ଥିଲେ । ଷାଠିଏ ଓ ସତୁରୀ ଦଶକରେ ବିରକିନ ନିଜର ଆଇକନିକ ଷ୍ଟାଇଲ ପାଇଁ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ ।
ବ୍ରିଟେନରେ ଜନ୍ମିତ ଏହି ସୁନାମଧନ୍ୟା ଗାୟିକା ଓ ନାୟିକା ଫ୍ରାନ୍ସରେ ବେଶ୍ ସୁଖ୍ୟାତି ଅର୍ଜନ କରିଥିଲେ । ସେ ୭୬ ବର୍ଷ ବୟସରେ ପ୍ୟାରିସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଫ୍ରାନ୍ସର ସାଂସ୍କୃତିକ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କର ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି । ତାଙ୍କର ଶବ ନିଜ ବାସଭବନରୁ ଉଦ୍ଧାର କରାଯାଇଥିବା ନେଇ ତାଙ୍କର ସମ୍ପର୍କୀୟମାନେ କହିଛନ୍ତି । ଏନେଇ କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
୧୯୪୬ ମସିହା ଡିସେମ୍ବର ମାସ ୧୪ ତାରିଖରେ ବିରକିନ ଲଣ୍ଡନର ମର୍ଲିବୋନେ ଠାରେ ଜନ୍ମଗ୍ରହଣ କରିଥିଲେ । ଯୌନ ଭିତ୍ତିକ ଗୀତ କାରଣରୁ ତାଙ୍କୁ ବିଭିନ୍ନ ଦେଶ ପକ୍ଷରୁ ନିନ୍ଦା କରାଯିବା ସହିତ କଟକଣା ଲାଗୁ କରାଯାଇଥିଲା । ବିଶେଷ କରି ଭାଟିକାନରେ ବିରକିନଙ୍କୁ ବ୍ୟାନ କରାଯାଇଥିଲା । ଗେନସବର୍ଗଙ୍କ ସହିତ ବିରକିନ ଦୀର୍ଘ ୧୨ ବର୍ଷ ଧରି ବନ୍ଧୁ ଭାବେ ରହିଥିଲେ । ଗେନସବର୍ଗ ବୟସରେ ୧୮ ବର୍ଷ ବଡ଼ ହୋଇଥିଲେ ହେଁ ସେ ବିରକିନଙ୍କ ପାଇଁ ବହୁବର୍ଷ ଧରି ଗୀତ ଲେଖିଥିଲେ ।