ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ତ୍ରିପୁରାର ବକ୍ସନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସାମସୁଲ ହକଙ୍କ ପରଲୋକ ଘଟିଛି । ସାମସୁଲ ସିପିଆଇଏମ ଟିକେଟରେ ନିର୍ବାଚନରେ ଜିତିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜିବିବି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ସାମସୁଲ ଚଳିତ ବର୍ଷ ପ୍ରଥମ ଥର ପାଇଁ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜୟ ଲାଭ କରି ବିଧାୟକ ହୋଇଥିଲେ । ହାର୍ଟ ଆଟାକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ସାମସୁଲଙ୍କ ମୃତ୍ୟୁ ପରେ ଏବେ ତ୍ରିପୁରାର ସୋନାମୁରା ଉପମଣ୍ଡଳରେ ୪ଟି ବିଧାନସଭା ଆସନରୁ ୨ଟି ଖାଲି ରହିଛି । ଧନପୁର ଓ ବକ୍ସନଗର ଆସନରେ ଆଗାମୀ ଦିନରେ ନିର୍ବାଚନ କରାଯିବ ।
୨୦୨୩ ନିର୍ବାଚନରେ ସାମସୁଲ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଜେପିର ତଫଜଲ ହୋସୈନଙ୍କୁ ୪୮୪୯ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ସାମସୁଲଙ୍କ ଅଚାନକ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ରାଜ୍ୟପାଳଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ରାଜନୈତିକ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି । ଏହି ଅବସରରେ ଦଳୀୟ କର୍ମକର୍ତ୍ତା ଓ ତାଙ୍କର ପ୍ରଶଂସକ ତଥା ଶୁଭେଚ୍ଛୁମାନେ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସାମସୁଲଙ୍କ ଅଚାନକ ବିୟୋଗରେ ତାଙ୍କର ପରିବାରବର୍ଗ ମର୍ମାହତ ହୋଇପଡ଼ିଛନ୍ତି ।