fbpx

ଜାତୀୟସ୍ତରରେ ସାପକାମୁଡ଼ା ମୃତ୍ୟୁ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା : ଜାତୀୟ କ୍ରାଇମ୍‍ ବ୍ୟୁରୋ ରେକର୍ଡରୁ ପ୍ରକାଶ

ଭୁବନେଶ୍ୱର: ଜାତୀୟ କ୍ରାଇମ୍‍ ବ୍ୟୁରୋ ରେକର୍ଡର ତଥ୍ୟ ଅନୁସାରେ ଜାତୀୟସ୍ତରରେ ସାପକାମୁଡ଼ା ମୃତ୍ୟୁ ସଂଖ୍ୟାରେ ରହିଛି ଦ୍ୱିତୀୟ ସ୍ଥାନରେ ଓଡ଼ିଶା ରାଜ୍ୟରେ ୨୦୧୫ ମସିହାରୁ ୨୦୨୨ ମସିହା ମଧ୍ୟରେ ସାପ କାମୁଡ଼ାରେ ୭ ହଜାରରୁ ଅଧିକ ଲୋକଙ୍କର ଜୀବନ ଯାଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥ୍ୟରୁ ଜଣାପଡ଼ିଛି । ଜାତୀୟ କ୍ରାଇମ୍‍ ବ୍ୟୁରୋର ରେକର୍ଡ ଅନୁସାରେ ଜାତୀୟସ୍ତରରେ ଓଡ଼ିଶା ସାପକାମୁଡ଼ା ମୃତ୍ୟୁସଂଖ୍ୟାରେ ଦୁଇ ନମ୍ବର ସ୍ଥାନରେ ରହିଛି ।

ପ୍ରତିବର୍ଷ ରାଜ୍ୟରେ ସାପକାମୁଡ଼ା ମୃତ୍ୟୁସଂଖ୍ୟା ୨ ଦଶମିକ ୨ ପ୍ରତିଶତ ବଢ଼ୁଛି ବୋଲି ଏହି ସଂସ୍ଥା କହିଛି । କେଉଁଝର, ଗଞ୍ଜାମ, ମାଲକାନଗିରି, ଦେବଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ମୟୁରଭଞ୍ଜ ଆଦି ଜିଲ୍ଲାରେ ସାପକାମୁଡ଼ା ଘଟଣା ଅନ୍ୟ ଜିଲ୍ଲା ଅପେକ୍ଷା ଅଧିକ ଦେଖାଯାଇଥାଏ । ଗତ ୨୪ ଘଣ୍ଟା ଭିତରେ ସାପକାମୁଡ଼ାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହେଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଚଳିତ ମାସରେ ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ ସାପକାମୁଡ଼ାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରାୟ ୮୦ ପ୍ରଜାତିର ସାପ ଦେଖା ଦେଇଥାଆନ୍ତି । ସେଥିମଧ୍ୟରୁ ୮ରୁ ୧୦ ପ୍ରକାର ବିଷଧର ସାପ ଥାଆନ୍ତି । ସାପକାମୁଡ଼ା ପରେ ବିଳମ୍ବ ନ କରି ତୁରନ୍ତ ଚିକିତ୍ସା ପାଇଁ (ଗୋଲ୍‍ଡେନ୍‍ ଆୱାର) ଉପରେ ଗୁରୁତ୍ୱ ଦିଆଯାଉଛି । କୌଣସି ଅନ୍ଧବିଶ୍ୱାସର ବଶବର୍ତ୍ତୀ ନ ହୋଇ ପୀଡ଼ିତଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇପାରିଲେ ମୂଲ୍ୟବାନ ଜୀବନ ବଞ୍ଚାଯାଇ ପାରିବ । ରାଜ୍ୟ ସରକାର ସାପକାମୁଡ଼ିଥିବା ବ୍ୟକ୍ତିଙ୍କର ଚିକିତ୍ସା ମାଗଣାରେ କରୁଛନ୍ତି ।ପ୍ରତ୍ୟେକ ଡାକ୍ତରଖାନାରେ ସାପକାମୁଡ଼ା ଔଷଧ ମହଜୁଦ ରହିଛି ।

Get real time updates directly on you device, subscribe now.