fbpx

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ: ଆସନ୍ତାକାଲି କଟକର କିଛି ଅଫିସ୍ ବନ୍ଦ ରହିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ରାଷ୍ଟ୍ରପତି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ତେବେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଆସନ୍ତାକାଲି କଟକର କିଛି ଅଫିସ ବନ୍ଦ ରହିବ । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରଡିସି, ରାଜସ୍ୱ ପର୍ଷଦ, ସବ-ରେଜିଷ୍ଟ୍ରାର, ବିଇଓ, ଡିଇଓ, ଟ୍ରେଜେରୀ, ପିଡିଡିଆରଡିଏ, ଏସଟିଏ, ଆରଟିଓ, ଏଜି, ତହସିଲ, ଏସବିଆଇ, ୟୁକୋ ବ୍ୟାଙ୍କ, ହାଇକୋର୍ଟ କ୍ୟାମ୍ପସ ସ୍ଥିତ ପୋଷ୍ଟ ଅଫିସ, ଏଲଆଇସି ଅଫିସ ବନ୍ଦ ରହିବ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଆଜି ରାଷ୍ଟ୍ରପତି ରାଜଭବନରେ ରାତ୍ରି ଯାପନ କରିବେ । ଏହାପରେ ଆସନ୍ତାକାଲି ସେ କଟକରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ରାଷ୍ଟ୍ରପତି କଟକର ଚଣ୍ଡି ମନ୍ଦିର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବାସଭବନ, ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ଏଥିସହିତ ସେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, କଟକର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଓ ଏସସିବି ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବେ । ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସ ଶିଳାନ୍ୟାସ କରିବେ । ତା’ପରେ ଭଦ୍ରକ ଅଟୋନମସ୍ କଲେଜର ଡାଇମଣ୍ଡ ଜୁବୁଲି ଜୟନ୍ତୀ ଉତ୍ସବରେ ସାମିଲ ହେବା ନେଇ କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.