ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ମହାମହିମ ରାଷ୍ଟପତି ଶ୍ରୀମୀ ଦ୍ରୌପଦୀ ମୁର୍ମୁ । ଆଜି ତାଙ୍କର କଟକ ଗସ୍ତର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ ମାନ୍ୟବର ରାଷ୍ଟ୍ରପତି । ଏହାବ୍ୟତୀତ କଟକ(ଦ ସିଲଭର ସିଟି)ର ବିଭିନ୍ନ ସ୍ଥାନ ବୁଲି ପରିଭ୍ରମଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ଚଳିତବର୍ଷ କଟକ ବଡ଼ ଡାକ୍ତରଖାନାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଷ୍ଟ୍ରପତିଙ୍କ କଟକ ଗସ୍ତ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓଡ଼ିଶା ପୋଲିସ ଡିପାର୍ଟମେଣ୍ଟ । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ପୋଲିସ ତତ୍ପର ରହିଥିବା ଦେଖିବାକୁ ମିଳିଛି । ତେବେ ଗସ୍ତରେ କୌଣସି ସମସ୍ୟା ସୃଷ୍ଟି ନ ହେଉ, ସେଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଟକରେ ପହଞ୍ଚି ମହାମହିମ କଟକ ଚଣ୍ଡୀ ଦର୍ଶନ କରିବା ସହିତ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିବେ । ଏହାପରେ ଓଡ଼ିଆର ଗୌରବ ମଧୁସୂଦନ ଦାସ ଏବଂ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବେ ରାଷ୍ଟ୍ରପତି ।
ଏହାସହିତ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରଖାଯାଇଛି । ସେହିପରି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମଧ୍ୟ ସେ ସାମିଲ ହେବେ । କଟକ ଏସସିବି ମେଡିକାଲରେ ହେବାକୁ ଯାଉଥିବା ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସାମିଲ ହେବାକୁ ଯାଉଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।