fbpx

ଓଡ଼ିଆ ଭାଷାରେ ପ୍ରକାଶ ପାଇଲା ପ୍ରଥମ ରାୟ: ଓଡ଼ିଶା ହାଇକୋର୍ଟରେ ସ୍ୱର୍ଣ୍ଣିମ ଅଧ୍ୟାୟ

କଟକ: ଓଡ଼ିଶା ହାଇକୋର୍ଟ ଆଜି ପାଳନ କରୁଛି ନିଜର ୭୫ତମ ପ୍ରତିଷ୍ଠା ଦିବସ । ଏହି ପବିତ୍ର ଉତ୍ସବରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ତେବେ ଏହି ସ୍ୱର୍ଣ୍ଣିମ ତଥା ଐତିହାସିକ ଦିବସରେ ହାଇକୋର୍ଟରେ ଏକ ବଡ଼ ରାୟ ପ୍ରକାଶ ପାଇଛି । ୭୫ତମ ପ୍ରତିଷ୍ଠା ଉତ୍ସବରେ ଓଡ଼ିଶା ହାଇକୋର୍ଟ ତରଫରୁ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗତ ୨୪ ତାରିଖରେ ୭୫ଟି ମାମଲାର ରାୟ ଗୋଟିଏ ଖଣ୍ଡପୀଠ ଗୋଟିଏ ଦିନରେ ପ୍ରକାଶ ପାଇଥିଲା । ଏହାପରେ ହାଇକୋର୍ଟ ଇତିହାସରେ ଆଜି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି । ଗୋଟିଏ ମାମଲାର ଶୁଣାଣୀ ସମୟ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ରାୟ ପ୍ରକାଶ ପାଇଛି ।

ରାଜ୍ୟ ସରକାର ଏବଂ ଏକ ଏନଜିଓ ମଧ୍ୟରେ ମାମଲାର ଶୁଣାଣୀ କରି ହାଇକୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ଜଷ୍ଟିସ ଡା. ସଞ୍ଜୀବ ପାଣିଗ୍ରାହୀ ଓଡ଼ିଆ ଭାଷାରେ ପ୍ରକାଶ କରିଛନ୍ତି ଏହି ମାମଲାର ରାୟ । ତେବେ ଗତ ଜୁଲାଇ ୧୯ ତାରିଖରେ ଖଣ୍ଡପୀଠ ମାମଲାର ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ଏହା ଓଡ଼ିଆ ଭାଷାରେ ପ୍ରକାଶ ପାଇଛି । ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗର ଏକ ନିର୍ଦ୍ଦେଶନାମାକୁ ବିରୋଧ କରି ଏହି ମାମଲାକୁ ଖାରଜ କରିଥିଲେ ମାନ୍ୟବର ହାଇକୋର୍ଟ ।

Get real time updates directly on you device, subscribe now.