fbpx

କାହିଁକି ଧରୁଛି ଆଖି ? ଜାଣନ୍ତୁ ଏହି ସମସ୍ୟାରୁ କିପରି ମୁକୁଳିବେ

ଆଖିଧରା ହେଉଛି ଏକ ସଂକ୍ରାମକ ରୋଗ। ବର୍ଷାଦିନରେ କିମ୍ବା ଋତୁ ପରିବର୍ତ୍ତନ କାରଣରୁ ସଂକ୍ରମଣ ହୋଇ ଆଖି ଲାଲ୍‌ ହୋଇଯାଏ। ତେଣୁ ଏହାକୁ ଇଂରାଜୀରେ ପିଙ୍କ୍‌ ଆଏ ଡିଜିଜ୍‌ ବୋଲି କୁହାଯାଏ। ଏବେ ଆଖିଧରା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଥିବାବେଳେ ଏହାର ଚିକିତ୍ସା ଓ ପ୍ରତିଷେଧକ ପାଇଁ ହୋମିଓପ୍ୟାଥି ଔଷଧ ମଧ୍ୟ ସହାୟକ ହୋଇଥାଏ। ବର୍ଷା ଆରମ୍ଭରୁ ରାଜ୍ୟସାରା ମାଡ଼ିଗଲାଣି ଆଖିଧରା ରୋଗ। ବିଭିନ୍ନ ଜିଲ୍ଲାରୁ ଆସୁଛି ଶହ ଶହ ଆଖିଧରା ମାମଲା। ଆଖିଧରା ଏକ ସ୍ପର୍ଶଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଏହାର ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ।

ଏଥିରେ କୁହାଯାଇଛି, ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ ଓ ତକିଆ ଆଦି ବ୍ୟବହାର କରନ୍ତୁ ନାହିଁ।

ଏମିତିକି ତାଙ୍କ ଆଇ-ଡ୍ରପ ବି ବ୍ୟବହାର କରନ୍ତୁ ନାହିଁ । ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ। ସୁଇମିଂ ପୁଲ୍ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ। ଆଖିରେ କସ୍ମେଟିକ୍ ଓ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ ।

ଆଖି ଧରିଲେ, ପରିଷ୍କାର କପଡ଼ାକୁ ଉଷୁମ ପାଣିରେ ପକାଇ ଆଖି ପୋଛନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ପକାନ୍ତୁ ନାହିଁ।

କିଭଳି ଜାଣିବେ ଆପଣ ଆଖିଧରା ରୋଗରେ ପଡ଼ିଛନ୍ତି ?

ଆଖିଧରା ରୋଗକୁ କଞ୍ଜୁଙ୍କଟିଭିଟିସ ବା ପିଙ୍କ ଆଇ ବୋଲି କୁହାଯାଏ। ଏହି ରୋଗ ହେଲେ ଆଖି ଲାଲ୍ ପଡ଼ିବା ସହ ଖୁଞ୍ଚି ହୁଏ। ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରେ।

ଆଖିଧରା ରୋଗ ଉଭୟ ଭୂତାଣୁ ଓ ଜୀବାଣୁଜନିତ। ଭୂତାଣୁଜନିତ ଆଖିଧରାରେ ଆଖି ଲାଲ୍ ପଡ଼ିବା ସହ ଲୁହ ବାହରିଥାଏ। କିନ୍ତୁ ଜୀବାଣୁଜନିତ ଆଖିଧରାରେ ଆଖିରୁ ପ୍ରଚୁର ପରିମାଣର ଲେଞ୍ଜରା ବାହାରିଥାଏ, ଆଖି ଲାଖିଯାଏ।

କେଉଁମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ?

ସଚେତନତା ଅଭାବରୁ ଛୋଟ ପିଲା ଓ ସ୍କୁଲ ଛାତ୍ରଛାତ୍ରୀଙ୍କଠାରେ ଏହା ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି ।

ଭୁଲ ଧାରଣା

ଚକ୍ଷୁରୋଗ ବିଶେଷଜ୍ଞ କହିଛନ୍ତି, ରୋଗୀର ଆଖିକୁ ଦେଖିବା ଦ୍ୱାରା ଆଖିଧରା ରୋଗ ବ୍ୟାପୀ ନ ଥାଏ। ଏହା କେବଳ ଏକ ଅନ୍ଧବିଶ୍ୱାସ। ମୁଖ୍ୟତଃ ସଂକ୍ରମିତ ରୋଗୀର ଲୁହ ଓ ଲେଞ୍ଜରାଜରିଆରେ ଆଖିଧରା ରୋଗ ସଂକ୍ରମିତ ହୋଇଥାଏ । ତେଣୁ ଆଖିଧରା ହୋଇଥିଲେ ରୋଗୀ ନିଜ ଆଖିଠାରୁ ହାତକୁ ଦୂରେଇ ରଖିବା ସହ ବାରମ୍ବାର ହାତ ଧୁଅନ୍ତୁ।

କେତେକ ସାବଧାନତା
ଆଖିରୋଗ ସଂକ୍ରାମକ ହୋଇଥିବାରୁ ଖୁବ୍‌ଶୀଘ୍ର ଅନ୍ୟମାନଙ୍କୁ ବ୍ୟାପିଥାଏ। ତେଣୁ କେତେକ ସାବଧାନତା ଅବଲମ୍ବନ କରିବା ଉଚିତ। ଆଖି ଧରିଥିବା ଲୋକଙ୍କ ବ୍ୟବହୃତ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ। ବାହାରୁ ଆସିଲେ ହାଲ୍‌କା ଉଷୁମ ପାଣିରେ ଭଲ ଭାବେ ହାତଗୋଡ଼ ଧୋଇ ଦିଅନ୍ତୁ। ଏହାପରେ ଉଷୁମ ପାଣିରେ ଷ୍ଟେରାଲାଇଜ୍‌ କଟନ୍‌ ବା ତୁଳା ବୁଡ଼ାଇ ଆଖିକୁ ୨ରୁ ୩ ଥର ପୋଛନ୍ତୁ। ଚଷମାକୁ ଭଲ ଭାବେ ସଫା କରନ୍ତୁ। ବାରମ୍ବାର ଆଖିରେ ହାତ ଲଗାନ୍ତୁ ନାହିଁ। ଯଦି ଆଖି ଧରିଛି, ସୁଇମିଙ୍ଗ୍‌ ପୁଲ୍‌ ବ୍ୟବହାର କରନ୍ତୁ ନାହିଁ। କାରଣ ଏହାଦ୍ବାରା ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ। ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ରୁମାଲ୍‌କୁ ଡିଟରଜେଣ୍ଟରେ ସଫା କରିବା ପରେ ଡେଟଲ୍‌ରେ ବୁଡ଼ାଇ ଖରା ପଡ଼ୁଥିବା ସ୍ଥାନରେ ଶୁଖାନ୍ତୁ। ଆଇ ଡ୍ରପ୍‌କୁ ମଧ୍ୟ ସଫାସୁତରା ସ୍ଥାନରେ ରଖନ୍ତୁ। ଗୋଟିଏ ଆଇଡ୍ରପ୍‌କୁ କେବଳ ଜଣଙ୍କ ପାଇଁ ବ୍ୟବହାର କରନ୍ତୁ।

Get real time updates directly on you device, subscribe now.