ଯଦି ଆପଣଙ୍କ ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି, ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ପିଲା କାନ୍ଦିଲେ ଅଧିକାଂଶ ଏହା ପେଟ କାଟୁଥିବା କିମ୍ବା କାନ ଟାଣୁଥିବା ବୋଲି ଭାବନ୍ତି। କିନ୍ତୁ ଏହା ବିପଦଜନକ ଆରିଥ୍ମିଆ ହୋଇପାରେ, ଯାହା ଶିଶୁଙ୍କ ପାଇଁ ପ୍ରାଣଘାତୀ ସଦୃଶ। ତେଣୁ ଏଭଳି କ୍ଷେତ୍ରରେ ଶିଶୁକୁ ଷ୍ଟେଥୋସ୍କୋପି ସହାୟତାରେ ପରୀକ୍ଷା କରିବା ସହିତ ହୃଦ୍ସ୍ପନ୍ଦନକୁ ମଧ୍ୟ ପରୀକ୍ଷା କରାଯିବା ଉଚିତ ବୋଲି ଏମ୍ସ ଭୁବନେଶ୍ୱର ନବଜାତ ଶିଶୁ (ନିଓନାଟୋଲୋଜି)ବିଭାଗର ଆସୋସିଏଟ୍ ପ୍ରଫେସର ଡ. ପଙ୍କଜ ମହାନ୍ତି ପ୍ରକାଶ କରିଛନ୍ତି। ଏମ୍ସ ଭୁବନେଶ୍ୱରରେ ଆରିଥ୍ମିଆରେ ଆକ୍ରାନ୍ତ ଏକ ୨୫ ଦିନର ଶିଶୁ କନ୍ୟାର ସଫଳ ଚିକିତ୍ସା ପରେ ମହାନ୍ତି ଏହି ସୂଚନା ଦେଇଥିଲେ ।
୩ ଦିନ ହେବ ଲଗାତର କାନ୍ଦିବା ସହିତ କିଛି ଖାଉ ନ ଥିବା ଜଣେ ୨୫ ଦିନର ଶିଶୁ କନ୍ୟାଙ୍କୁ ନେଇ ତାଙ୍କ ମାତାପିତା ଭୁବନେଶ୍ୱର ଏମ୍ସକୁ ଆଣିଥିଲେ। ହସ୍ପିଟାଲ ଆଣିବା ସମୟରେ ଶିଶୁକନ୍ୟା ଗୁରୁତର ଅବସ୍ଥାରେ ଥିଲେ। ହସ୍ପିଟାଲ୍ ଆସିବା ପୂର୍ବରୁ ଶିଶୁର କୋଲିକ୍, ଓଟିଟିସ୍ କିମ୍ବା ସେପସିସ୍ ଭଳି ଚିକିତ୍ସା କରାଯାଇଥିଲା। ତେବେ ଏମ୍ସକୁ ଆସିବା ପରେ ଡାକ୍ତର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଶିଶୁର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ସମୟରେ ଶିଶୁର ହୃଦ୍ସ୍ପନ୍ଦନ (ହାର୍ଟ ରେଟ୍) ୩ଶହ ବିପିଏମ୍ରୁ ଅଧିକ ଥିବା ଜଣାପଡ଼ିଥିଲା। ସାଧାରଣତଃ ଶିଶୁଙ୍କ କ୍ଷେତ୍ରରେ ଏହା ୧୪୦ ବିପିଏମ୍ ରହିଥାଏ। ଏନେଇ ଶିଶୁ କନ୍ୟାଙ୍କ ତୁରନ୍ତ ଇସିଜି କରାଯାଇଥିଲା। ଏଥିରେ ଅନୁପସ୍ଥିତ ପି-ତରଙ୍ଗ(ପି ୱେଭ୍) ଏବଂ ହୃଦ୍ସ୍ପନ୍ଦନ ୨୮୮ ଏସ୍/ ଓପିଏସ୍ଭିଟି ପ୍ରକାଶ ପାଇଥିଲା।
ଶିଶୁକୁ ତୁରନ୍ତ ଏନ୍ଆଇସିୟୁକୁ ନିଆଯାଇ ହୃଦ୍ସ୍ପନ୍ଦନକୁ ସାଧାରଣ ଅବସ୍ଥାକୁ ଫେରାଇବାକୁ ଚିକିତ୍ସା କରାଯାଇଥିଲା। ସଫଳ ଚିକିତ୍ସା ଯୋଗୁ ୨୪ ଘଣ୍ଟା ପରେ ଶିଶୁ ସ୍ବାଭାବିକ ହେବା ସହିତ ଉତ୍ତମ ଅବସ୍ଥାକୁ ଫେରିବା ସହ ସ୍ତନ୍ୟପାନ କରିଥିଲା। ଠିକ୍ ସମୟରେ ଶିଶୁଟିର ଉଚିତ୍ ଚିକିତ୍ସା କରାଯାଇପାରିବାରୁ ତାକୁ ବଞ୍ଚାଇ ପାରିଲୁ ବୋଲି ଡାକ୍ତର ମହାନ୍ତି କହିଥିଲେ ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ପ୍ରକାରର ମାମଲା ପ୍ରାୟତଃ ଘଟିଥାଏ। ମାତ୍ର ସଚେତନତାର ଅଭାବ କାରଣରୁ ଅଭିଭାବକମାନେ ଏହାକୁ ଅଣଦେଖା କରିଥାଆନ୍ତି। ଏପରିକି ଚିକିତ୍ସା ସମୟରେ ମଧ୍ୟ ଆରିଥ୍ମିଆକୁ ଦୃଷ୍ଟିକୁ ନିଆଯାଇ ନ ଥାଏ। ଫଳରେ ଶିଶୁଙ୍କ ମଧ୍ୟରେ ହୃଦୟ ଓ ଆଭ୍ୟନ୍ତରୀଣ ସମସ୍ୟା ଦେଖାଦେଇ ବିପଦ ଆଣିଥାଏ।