fbpx

ସଙ୍ଗରୋଧରେ ରହିବେ ସେବାୟତ

ପୁରୀ, ୧୦ା୫ (ଓଡ଼ିଶା ଭାସ୍କର): ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସେବାୟତମାନେ ଆଜିଠାରୁ ସଙ୍ଗରୋଧରେ ରହିବେ । ଏଥିପାଇଁ ୩ଟି ଭକ୍ତ ନିବାସରେ ବ୍ୟବସ୍ଥା କରାଯାଇଛି । ଏହି ୩ଟି ଭକ୍ତ ନିବାସରେ ୨୦୫ଜଣ ସେବାୟତ ସଙ୍ଗରୋଧରେ ରହିପାରିବେ ବୋଲି ସୂଚନା ଦିଆଯାଇଛି । ସଙ୍ଗରୋଧ ସମୟରେ ସେବାୟତଙ୍କୁ ପ୍ରତିଦିନ ଖାଦ୍ୟ ଯୋଗାଇ ଦିଆଯିବ ଏବଂ ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କୁହାଯାଇଛି । ତେବେ ଏହି ସ୍ୱାସ୍ଥ୍ୟ ପରୀକ୍ଷା କୋଭିଡ୍-୧୯ ଟେଷ୍ଟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ପ୍ରକାଶଯୋଗ୍ୟ, ପୁରୀସ୍ଥିତ ରଥଖଳାରେ ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିବା ପରେ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ରଥନିର୍ମାଣ କାର୍ଯ୍ୟା ରବିବାର ତୃତୀୟ ଦିନରେ ପହଞ୍ଚିଛି । ରଥନିର୍ମାଣ ସମୟରେ ସାମାଜିକ ଦୂରତା ନିୟମ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍-୧୯ ସମ୍ପର୍କୀତ ନିୟମ ମାନିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରଥନିର୍ମାଣ ଅନୁମତିପତ୍ରରେ ଦର୍ଶାଯାଇଥିଲା । ତେବେ ରଥଯାତ୍ରା ହେବ କି ନାହିଁ ତାହା ଆଗାମୀ ଦିନରେ ସ୍ଥିତି ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ନିକଟକୁ ଆସିଥିବା ଚିଠିରେ ଦର୍ଶାଯାଇଥିଲା ।

Get real time updates directly on you device, subscribe now.