ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ, ବିଧବାଙ୍କୁ ମନ୍ଦିର ବାରଣ କଲେ ଆଇନ ଅନୁସାରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଚେନ୍ନାଇ:  ମାଡ୍ରାସ ହାଇକୋର୍ଟ ବିଧବାଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯିବା ପ୍ରଥାକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି । ଏହା ସହିତ କୋର୍ଟ କହିଛନ୍ତି କୌଣସି ବି ସଭ୍ୟ ସମାଜରେ ଏହି ପ୍ରକାର ପରମ୍ପରା ଜାରି ରହିବା ଅନୁଚିତ । ଜଣେ ମହିଳାଙ୍କ ଯାଚିକା ଉପରେ ଶୁଣାଣୀ ସମୟରେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି । ଯାଚିକାରେ ଇରୋଡ ଜିଲ୍ଲାରେ ଥିବା ଏକ ମନ୍ଦିରକୁ ଯିବା ଓ ସେଠିିକାର କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପୋଲିସ ସୁରକ୍ଷାର ଦାବୀ କରାଯାଇଥିଲା ।

ଇରୋଡ ଜିଲ୍ଲା ନିବାସୀ ଥଙ୍ଗମଣିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଯାଚିକା ଉପରେ କୋର୍ଟ ଶୁଣାଣୀ ସମୟରେ ଏହି ରାୟ ଦେଇଛନ୍ତି । ଯାଚିକାରେ ଥଙ୍ଗମଣି ଉଲ୍ଲେଖ କରିଥିଲେ ଯେ, ବିଧବା ହୋଇଥିବାରୁ ତାଙ୍କୁ ଓ ତାଙ୍କ ପୁଅକୁ କିଛି ଗ୍ରାମବାସୀ ସ୍ଥାନୀୟ ମନ୍ଦିରରେ ପ୍ରବେଶ କରିବା ଓ ଆଗାମୀ ମନ୍ଦିର ଉତ୍ସବରେ ଭାଗ ନେବା ଲାଗି ବାରଣ କରିଛନ୍ତି । ଜଷ୍ଟିସ ଆନନ୍ଦ ଭେଙ୍କେଟେଶଙ୍କ ପୀଠକୁ ମହିଳା କହିଥିଲେ ଯେ, ତାଙ୍କ ପତି ମନ୍ଦିରର ପୂଜାରୀ ଥିଲେ । ୨୮ ଅଗଷ୍ଟ ୨୦୧୭ରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ସେ ତାଙ୍କ ପୁଅଙ୍କ ସହ ମନ୍ଦିର ଉତ୍ସବରେ ଭାଗ ନେବାକୁ ଓ ପୂଜା କରିବାକୁ ଚାହୁଁଥିବା ବେଳେ କିଛି ଲୋକ ତାଙ୍କୁ ଏହା କରିବାକୁ ବାରଣ କରିଥିଲେ ।

ଏହି ମାମଲାରେ ନ୍ୟାୟମୂର୍ତ୍ତି କହିଥିଲେ ଏହା ବହୁତ ଦୁଃଖଦ ଘଟଣା ଯେ, କିଛି ରାଜ୍ୟରେ ବହୁ ଅନ୍ଧବିଶ୍ୱାସ ଏବେ ବି ପ୍ରଚଳିତ ଅଛି । କୋର୍ଟ କହିଥିଲେ ଜଣେ ମହିଳାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି ଓ ବୈବାହିକ ସ୍ଥିତି ଆଧାରରେ ତାଙ୍କର ଅଧିକାର ଓ ପରିଚୟକୁ କେହି ଛଡାଇ ନେଇପାରିବେନି । ତେଣୁ ଯଦି କେହି ବିଧବା ମହିଳାଙ୍କୁ ମନ୍ଦିର ପ୍ରବେଶ କ୍ଷେତ୍ରରେ ବାଧା ସୃଷ୍ଟିି କରିବ ବା ବାରଣ କରିବ ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।