ବିଜେପି ନେତ୍ରୀଙ୍କର ଖୋଜ ଖବର ମିଳୁନାହିଁ: ୭ ଦିନ ହେଲା ନିଖୋଜ, ବଢ଼ିଲା ହତ୍ୟା ଆଶଙ୍କା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଓ ବିରୋଧୀଙ୍କ ମଧ୍ୟରେ ବିଭିନ୍ନ ବିଲ ପାସ ଓ ଅନ୍ୟ ପ୍ରସଙ୍କକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ବିଜେପିର ଜଣେ ନେତ୍ରୀଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଜଣେ ବିଜିନେସ ପାର୍ଟନରଙ୍କୁ ଦେଖା କରିବାକୁ ଯାଇଥିବା ଉକ୍ତ ନେତ୍ରୀଙ୍କର କୌଣସି ଖୋଜ ଖବର ମିଳୁନାହିଁ । ତେଣୁ ନେତ୍ରୀଙ୍କର ନିଖୋଜ ନେଇ ପରିବାରବର୍ଗ ଥାନାରେ ଏକ ମାମଲା ଦାୟର କରିଛନ୍ତି ।

ସୂଚନା ମୁତାବକ, ଉକ୍ତ ବିଜେପି ନେତ୍ରୀଙ୍କର ନାମ ହେଉଛି ସାନା ଖାନ । ସାନା ନାଗପୁରରେ ରହୁଥିବା ବେଳେ ସେ ନିଜର ବିଜନେସ ପାର୍ଟନରଙ୍କୁ ଦେଖା କରିବା ପାଇଁ ମଧ୍ୟପ୍ରଦେଶର ଜବଲପୁର ଯାଇଥିଲେ । ମାତ୍ର ଏହା ମଧ୍ୟରେ ଏକ ସପ୍ତାହ ସମୟ ବିତିଯାଇଥିଲେ ବି ସାନାଙ୍କର କୌଣସି ଖୋଜ ଖବର ମିଳୁନାହିଁ ।  ମାତ୍ର ଦୁଇ ଦିନ ଭିତରେ ସେ ଘରକୁ ଫେରି ଆସିବେ ବୋଲି ସାନା ଜବଲପୁର ଯିବା ପୂର୍ବରୁ ପରିବାର ଲୋକଙ୍କୁ କହିଯାଇଥିଲେ ।

ମାତ୍ର ଏହା ମଧ୍ୟରେ ଅନେକ ଦିନ ବିତିଯାଇଥିଲେ ବି ସାନାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଏଥିସହିତ ତାଙ୍କର ଫୋନ ନମ୍ବର ମଧ୍ୟ ବନ୍ଦ ରହିଛି । ତେଣୁ ପରିବାରବର୍ଗ ସାନାଙ୍କ ନିଖୋଜ ନେଇ ନାଗପୁରର ମାନକାପୁର ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି । ନାଗପୁର ବିଜେପିରେ ସାନା ଜଣେ ସକ୍ରିୟ ମହିଳା ନେତ୍ରୀ । ବିଜନେସ ପାର୍ଟନର ପପୁ ସାହୁଙ୍କୁ ସାକ୍ଷାତ କରିବା ପାଇଁ ସାନା ଜବଲପୁର ଯାଇଥିଲେ । ପପୁ ମଦ ତସ୍କରୀରେ ଲିପ୍ତ ଥିଲେ ଓ ଜବଲପୁର ନିକଟରେ ସେ ଏକ ଢାବା ଚଳାଉଥିଲେ । କିଛି ଦିନ ହେଲା ସାନା ଓ ପପୁଙ୍କ ମଧ୍ୟରେ ଅର୍ଥ ନେଣଦେଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ପପୁ ନିଜ ପରିବାର ସହ ଫେରାର ହୋଇଯାଇଛନ୍ତି । ତେଣୁ ସାନାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି । ନାଗପୁର ପୋଲିସ ଜବଲପୁର ପୋଲିସ ସହାୟତାରେ ଏହି ମାମଲାର ଯାଞ୍ଚ କରୁଥିବା ଜଣାପଡ଼ିଛି ।