fbpx

ପାକିସ୍ତାନ ସଂସଦକୁ ଭଙ୍ଗକଲେ ରାଷ୍ଟ୍ରପତି: ଦେଶରେ ହେବ ନୂଆ ନିର୍ବାଚନ

ନୂଆଦିଲ୍ଲୀ: ପାକିସ୍ତାନ ସଂସଦକୁ ରାଷ୍ଟ୍ରପତି ଭଙ୍ଗ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶକ୍ରମେ ଗତ ବୁଧବାର ବିଳମ୍ବିତ ରାତ୍ରିରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଓ ଆର୍ଥିକ ସଙ୍କଟ ମଧ୍ୟରେ ଦେଶରେ ନିର୍ବାଚନ ପାଇଁ ମଞ୍ଚ ପ୍ରସ୍ତୁତ କରାଯିବ । ରାଷ୍ଟ୍ରପତିଙ୍କ ଅଫିସ ତରଫରୁ ଏ ବାବଦରେ ସୂଚନା ଦିଆଯାଇଛି ।

ଆସନ୍ତା ଅଗଷ୍ଟ ୧୨ ତାରିଖରେ ଅଫିସିଆଲ ଭାବେ ଦେଶର ସଂସଦର ପାଞ୍ଚ ବର୍ଷିଆ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତେଣୁ ୩ ଦିନ ପୂର୍ବରୁ ସଂସଦକୁ ଭଙ୍ଗ କରିବାକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଥିଲେ । ଆଗକୁ ଶରିଫ ଓ ଜଣେ ବିରୋଧୀ ନେତା ବିଦାୟୀ ସଂସଦରେ ଏକ କେୟାରଟେକର ପ୍ରଶାସନକୁ ବାଛିବେ ଓ ୯୦ ଦିନ ମଧ୍ୟରେ ଦେଶରେ ନୂଆ ନିର୍ବାଚନ ହେବ ।

ପାକିସ୍ତାନର ସଂସଦକୁ ଭଙ୍ଗ କରିବା ପାଇଁ ବିଳମ୍ବିତ ରାତ୍ରିରେ ସେ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ଶରିଫ କହିଛନ୍ତି । ଏଥିସହିତ ଜଣେ କେୟାରଟେକର ପ୍ରଧାନମନ୍ତ୍ରୀଙ୍କୁ ମନୋନୀତ କରିବା ପାଇଁ ସେ ବିରୋଧୀ ଦଳ ନେତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିବେ ବୋଲି ପ୍ରଧାନମନ୍ତ୍ରୀ ଶରିଫ କହିଛନ୍ତି । ଶତାଧିକ ନିର୍ବାଚନ ମଣ୍ଡଳୀରେ ଜନଗଣନା ଆଧାରରେ ନିର୍ବାଚନ ଆୟୋଗ ପୁଣି ଥରେ ଫ୍ରେଶ ଜନଗଣନା କାର୍ଯ୍ୟ ଆରମ୍ଭ କରିବେ । ତେଣୁ ନିର୍ବାଚନ ହେବାକୁ ଆହୁରି କିଛି ମାସ ବିଳମ୍ବ ହୋଇପାରେ ।

ଏନେଇ ବିଶ୍ଲେଷଣକାରୀମାନେ କହିଛନ୍ତି, ଦେଶରେ ନିର୍ବାଚନ ପାଇଁ ଯଦି ବିଳମ୍ବ ହୁଏ ତେବେ ତାହା ଜନସାଧାରଙ୍କ କ୍ରୋଧ ବଢ଼ାଇବା ସହ ଆଣବିକ ସଶସ୍ତ୍ର ରାଷ୍ଟ୍ରରେ ଅନିଶ୍ଚିତତା ସୃଷ୍ଟି କରିବାର ସମ୍ଭାବନା ରହିଛି । ୨୦୧୮ ମସିହା ଜୁଲାଇରେ ଦେଶରେ ଶେଷଥର ପାଇଁ ସାଧାରଣ ନିର୍ବାଚନ ହୋଇଥିବା ବେଳେ ସେଥିରେ କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନ ଖାନ ବିଜୟ ଲାଭ କରିଥିଲେ ଓ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଅନାସ୍ଥା ପ୍ରସ୍ତାବ କାରଣରୁ ଗତ ବର୍ଷ ପ୍ରଧାନମନ୍ତ୍ରୀ ପଦରୁ ହଟିଥିବା ଇମ୍ରାନ ଏବେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗତି କରୁଛନ୍ତି । ଏହା ଦେଶର ସ୍ଥିରତାକୁ ନେଇ ଆଶଙ୍କା ବଢ଼ାଇ ଦେଇଛି । ତୋଷଖାନା ମାମଲାରେ ସେ ଏବେ ଜେଲରେ ରହିଥିବା ବେଳେ ପାଞ୍ଚ ବର୍ଷ ପାଇଁ ସେ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ ।

Get real time updates directly on you device, subscribe now.