fbpx

ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେଙ୍କ ପିତାଙ୍କ ପରଲୋକ

ନୂଆଦିଲ୍ଲୀ: ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଃଖଦ ଖବର । ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେଙ୍କ ପିତା ଶଶିକାନ୍ତ ଲୋଖାଣ୍ଡେଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଶଶିକାନ୍ତଙ୍କ ମୃତ୍ୟୁକୁ ନେଇ ପରିବାରରେ ଦୁଃଖର ଲହରୀ ଖେଳି ଯାଇଛି । ଆଜି ସନ୍ଧ୍ୟା ସମୟରେ ଶଶିକାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ନାହିଁ ।

ରିପୋର୍ଟ ମୁତାବକ, ଗତ କିଛିଦିନ ଧରି ଅଙ୍କିତାଙ୍କ ପିତା ଶଶିକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନଥିଲା । ଦୁଇ ମାସ ପୂର୍ବେ ଫାଦର୍ସ ଡେ’ ଅବସରରେ ଅଙ୍କିତା ତାଙ୍କ ପିତାଙ୍କ ପାଇଁ ଏକେ ସ୍ପେଶାଲ ପୋଷ୍ଟ ଲେଖିଥିଲେ । ସେ ଏକ ଫଟୋ ଶେୟାର କରି ‘ହାପି ଫାଦର୍ସ ଡେ, ମୋର ପ୍ରଥମ ହିରୋ ମୋର ପିତା ରହି ଆସିଛନ୍ତି । ମୋର ଆପଣଙ୍କ ପ୍ରତି ଥିବା ଭାବନାକୁ ମୁଁ ଏହି ସମୟରେ ଠିକ୍ ଭାବେ ବ୍ୟକ୍ତ କରିପାରୁ ନାହିଁ । ଆଇ ଲଭ୍ ୟୁ । ମୁଁ ଆପଣଙ୍କୁ ବହୁତ ଜିନିଷ ପାଇଁ ସଂଘର୍ଷ କରିବାର ଦେଖିଛି ବାପା । ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଆପଣଙ୍କର ସଂଘର୍ଷର ସମୟକୁ ଦେଖିଛି । ମାତ୍ର ଆପଣ ମୋତେ କେବେ ବି ସଂଘର୍ଷ କରିବାକୁ ଦେଇ ନାହାନ୍ତି । ଆପଣ ମୋତେ ସବୁକିଛି ଦେଇଛନ୍ତି । ଉଡ଼ିବା ପାଇଁ ଆପଣ ମୋତେ ଡେଣା ଦେଇଛନ୍ତି । ମୁଁ ମୋ ଜୀବନରେ ଯାହା କରିବାକୁ ଚାହୁଁଥିଲି ଆପଣ ମୋତେ ସେସବୁ ଦେଇଛନ୍ତି ।’

ଆସନ୍ତାକାଲି ଶଶିକାନ୍ତଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି । ତେବେ ଶଶିକାନ୍ତଙ୍କର ବିୟୋଗ ନେଇ ଅଙ୍କିତା ଓ ତାଙ୍କର ପରିବାର ପକ୍ଷରୁ କୌଣସି ବୟାନ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ । ‘ପବିତ୍ର ରିସ୍ତା’ ସିରିୟଲ ମାଧ୍ୟମରେ ଅଙ୍କିତା ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ସେଥିରେ ସେ ସ୍ୱର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ଅଭିନୟ କରିଥିଲେ । ସୁଶାନ୍ତ ଓ ଅଙ୍କିତା ୬ ବର୍ଷ ଧରି ରିଲେସନଶିପରେ ରହିବା ପରେ ଦୁହିଁଙ୍କର ବ୍ରେକଅପ ହୋଇଯାଇଥିଲା । ଅଙ୍କିତା କଙ୍ଗନା ରଣାୱତଙ୍କ ‘ମଣିକର୍ଣ୍ଣିକା: ଦି କ୍ୱିନ୍ ଅଫ୍ ଝାନସୀ’ରେ ଅଭିନୟ କରିଥିଲେ ।

Get real time updates directly on you device, subscribe now.