ନୂଆଦିଲ୍ଲୀ: ଏଲନ ମସ୍କଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ପକ୍ଷରୁ ନିକଟରେ ବଡ଼ ପଦକ୍ଷେପ ନିଆଯାଇଛି । ଭାରତରେ ୨୩ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରାଯାଇଛି । ଏହି ସବୁ ଆକାଉଣ୍ଟକୁ ଚଳିତ ବର୍ଷ ଜୁନରୁ ଜୁଲାଇ ମାସ ମଧ୍ୟରେ ବ୍ୟାନ କରାଯାଇଥିବା ଜଣାପଡ଼ିଛି । ନିଜର ମାସିକ ରିପୋର୍ଟରେ କମ୍ପାନୀ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି । ଏଥିସହିତ ଆକାଉଣ୍ଟସକୁ କାହିଁକି ବ୍ୟାନ କରାଯାଇଛି ସେନେଇ କାରଣ ମଧ୍ୟ କୁହାଯାଇଛି ।
ଟ୍ୱିଟର ଏବେ ଏକ୍ସ କର୍ପର ଏକ ଅଂଶ ହୋଇସାରିଥିବା ବେଳେ ମସ୍କ ଏହାର ନାମ ପରିବର୍ତ୍ତନ କରି ‘ଏକ୍ସ’ କରିଦେଇଛନ୍ତି । ମସ୍କଙ୍କ ହାତକୁ ନିୟନ୍ତ୍ରଣ ଆସିବା ପରେ ଏହି ପ୍ଲାଟଫର୍ମରେ କ୍ରମାଗତ ଭାବେ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି । କମ୍ପାନୀ ଭାରତରେ ରେକର୍ଡ ଭାବେ ଆକାଉଣ୍ଟସକୁ ବ୍ୟାନ କରୁଛି । ଜୁନରୁ ଜୁଲାଇ ଗୋଟିଏ ମାସ ଭିତରେ କମ୍ପାନୀ ୨୩ ଲକ୍ଷ ୯୫ ହଜାର ୪୯୫ଟି ଆକାଉଣ୍ଟକୁ ବ୍ୟାନ କରିଛି ।
ଶିଶୁ ଯୌନ ଅନ୍ୱେଷଣ ଓ ଅଣ ସମଲିଙ୍ଗୀ ନଗ୍ନତାକୁ ପ୍ରୋତ୍ସାହିତ କରିବା କାରଣରୁ ହିଁ ଏହି ଆକାଉଣ୍ଟଗୁଡ଼ିକୁ ବ୍ୟାନ କରାଯାଇଛି । ଏହାଛଡ଼ା ଦେଶରେ ଆତଙ୍କ ବିସ୍ତାର କରିବା କାରଣରୁ ପ୍ଲାଟଫର୍ମରୁ ୧,୭୭୨ଟି ଆକାଉଣ୍ଟକୁ ହଟାଇ ଦିଆଯାଇଛି । ଆଇଟି ରୁଲ୍ସ ୨୦୨୧ ଅନୁଯାୟୀ ସମସ୍ତ ସୋସିଆଲ ମିଡ଼ିଆ କମ୍ପାନୀଙ୍କୁ ଆକାଉଣ୍ଟସକୁ ବ୍ୟାନ କରିବାର କାରଣ ପ୍ରଦାନ କରିବାକୁ ପଡ଼ିଥାଏ । ଜୁନରୁ ଜୁଲାଇ ମଧ୍ୟରେ ୩,୩୪୦ ଜଣ ୟୁଜର୍ସ ଅଭିଯୋଗ ସମାଧାନ ମେକାନିଜମ ଅଧିନରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଏହି ରିପୋର୍ଟ କିଛି ଦିନ ବିଳମ୍ବରେ ଜାରି କରାଯାଇଛି । ‘ଏକ୍ସ’ର ସିଇଓ ଲିଣ୍ଡା ୟାକାରିନୋ ଏନେଇ ନିଜେ ସୂଚନା ଦେଇଛନ୍ତି ।