ନୂଆଦିଲ୍ଲୀ: ଗତ ମାସ ଦୁଇ ତାରିଖରେ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଥିଲା ଏକ ବଡ଼ ବିସ୍ଫୋରଣ । ଅଜିତ ପାୱାରଙ୍କ ସହିତ ୯ ଜଣ ବିଧାୟକ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଛାଡ଼ି ବିଜେପି- ଏକନାଥ ଶିନ୍ଦେଙ୍କ ଶିବସେନା ମେଣ୍ଟରେ ସାମିଲ ହୋଇଥିଲେ । ଏହାପରେ ଅଜିତ ମହାରାଷ୍ଟ୍ରର ଡେପୁଟି ସିଏମ୍ ଭାବେ ଶପଥ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଅଜିତ ଓ ଶରଦ ପାୱାର ନିଜକୁ ଏନସିପିର ଅଧ୍ୟକ୍ଷ ବୋଲି ଘୋଷଣା କରିବା ସହ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ ।
ତେବେ ଏହା ମଧ୍ୟରେ ଅଜିତ ଏକାଧିକ ଥର ଶରଦଙ୍କୁ ଭେଟି ଆଲୋଚନା କରିସାରିଛନ୍ତି । ଗତ ୧୨ ତାରିଖରେ ହୋଇଥିବା ଅଜିତ-ଶରଦଙ୍କ ସିକ୍ରେଟ ମିଟିଂକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । ଏହି ମିଟିଂ ବିଷୟରେ କିଛି ଜାଣିନାହାନ୍ତି ବୋଲି ମହାରାଷ୍ଟ୍ର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନବୀସ କହିଛନ୍ତି । ତେବେ ଦାଦା-ପୁତୁରାଙ୍କ ମଧ୍ୟରେ ହୋଇଥିବା ଏହି ଗୁପ୍ତ ବୈଠକକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ନିଜ ପ୍ରତିକ୍ରିୟା ଦେଇଛନ୍ତି । ରାଜନୀତିରେ କିଛି ବି ହୋଇପାରେ । ମହାବିକାଶ ଅଘାଡ଼ିକୁ ପୁଣି ଥରେ ଫେରି ଆସିବାକୁ ଶରଦ ଅଜିତଙ୍କୁ କହିଥାଇ ପାରନ୍ତି । ଆଗାମୀ କିଛି ଦିନ ମଧ୍ୟରେ ଶରଦ ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି ବୋଲି ସଞ୍ଜୟ କହିଛନ୍ତି ।
ଅନ୍ୟପକ୍ଷରେ ଶରଦଙ୍କୁ ନେଇ ମଧ୍ୟ ଏକ ବଡ଼ ଚର୍ଚ୍ଚା ହେଉଛି । ବିଜେପି ସହିତ ହାତ ମିଳାଇବା ପାଇଁ ଶରଦଙ୍କୁ ଅଜିତ ମନାଉଥିବା କୁହାଯାଉଛି । ତେବେ ଉକ୍ତ ମିଟିଂକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଶରଦ । କିଛି ଶୁଭ ଚିନ୍ତକ ତାଙ୍କୁ ମନାଇବାକୁ ପ୍ରୟାସ କରୁଛନ୍ତି । ମାତ୍ର ସେ କେବେ ବି ଭାଜପା ସହିତ ଯିବେ ନାହିଁ । ଅଜିତ ତାଙ୍କର ପୁତୁରା ହୋଇଥିବା ବେଳେ ସେ ପରିବାରର ସବୁଠାରୁ ବରିଷ୍ଠ ସଦସ୍ୟ ଅଟନ୍ତି । ତେଣୁ ସେମାନଙ୍କର ସାକ୍ଷାତକୁ ନେଇ କୌଣସି ଗୁପ୍ତ ତଥ୍ୟ ନାହିଁ ବୋଲି ଶରଦ କହିଛନ୍ତି ।