fbpx

(Video) ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଭାରତର ‘Moon Mission’: କିପରି ରହିବ ଚନ୍ଦ୍ରଯାନ-୩ ଯାତ୍ରାର ଶେଷ ୧୫ ମିନିଟ୍?

ନୂଆଦିଲ୍ଲୀ: ଆଉ କେଇଟା ଘଣ୍ଟା ଭିତରେ ଚନ୍ଦ୍ରପୃଷ୍ଠରେ ଇତିହାସ ଲେଖିବାକୁ ପ୍ରସ୍ତୁତ ଭାରତର ସ୍ପେସ ଏଜେନ୍ସି । ଚନ୍ଦ୍ର ରାଇଜରେ ପାଦ ଥାପିବା ମାତ୍ରେ କେବକଳ ଭାରତ ନୁହେଁ ସାରା ବିଶ୍ୱକୁ ମିଳିବ ନୂଆ ସଫଳତା । ଆଉ ମାତ୍ର ୩ ଘଣ୍ଟା ପରେ ଚନ୍ଦ୍ରରେ ନୂଆ ଇତିହାସ ସୃଷ୍ଟି କରିବ ଭାରତ । ପରିବେଶ ଅନୁକୂଳ ଥିଲେ, ସଂଧ୍ୟା ୬ଟା ୦୪ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ବିକ୍ରମ । ତେବେ ଅବତରଣ କରିବାର ପୂର୍ବ ୧୫ ମିନିଟ ଅର୍ଥାତ୍ ୦୫.୪୫ରୁ ୦୬.୦୪ ସମୟ ଚନ୍ଦ୍ରଯାନ ପାଇଁ ଖୁବ ବିପଦପୂର୍ଣ୍ଣ ସମୟ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଏହାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କହିଛି ଯେ, ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିଛି । ଚନ୍ଦ୍ରଯାନ-୩ ନିର୍ଦ୍ଧାରିତ ସମୟରେ ଅବତରଣ କରିବ । ପୂର୍ବରୁ କୁହାଯାଇଥିଲା ଯେ ଯଦି କିଛି ସମସ୍ୟା ଦେଖାଯାଏ, ତେବେ ୨୭ ତାରିଖରେ ଏହାର ଅବତରଣ କରାଯିବ । ତେବେ ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ସଫ୍ଟ ଲ୍ୟାଣ୍ଡିଂ ପାଇଁ ସବୁ ଦିଗରୁ ସମର୍ଥ ରହିଥିବା ବେଳେ ନିର୍ଦ୍ଧାରିତ ସମୟରେ ହିଁ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଅବତରଣ ପାଇଁ ଶେଷ ୧୫ ମିନିଟ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ଚନ୍ଦ୍ରରେ ପର୍ଯ୍ୟାପ୍ତ ବାୟୁ ଉପଲବ୍ଧ ନଥିବା ବେଳେ ଅତ୍ୟଧିକ ଧୂଳି ଭରି ରହିଛି । ତେଣୁ ଚନ୍ଦ୍ରରେ ହେଉ ଅବା ମଙ୍ଗଳ ଗ୍ରହରେ କୌଣସି ମହାକାଶ ଯାନ ଓହ୍ଲାଇବା ସମୟରେ ବେଗ ଧୀମା କରିବାକୁ ପଡିଥାଏ । ଏହାଦ୍ୱାରା ଯେଉଁ ସ୍ଥାନରେ ଓହ୍ଲାଇବାକୁ ନିଷ୍ପତ୍ତି ହୋଇଥିବ ସେଠାରେ ଓହ୍ଲାଇ ହେବ । ତେଣୁ ଚନ୍ଦ୍ରଯାନ-୩ର ମଧ୍ୟ ସଫ୍ଟ ଲ୍ୟାଣ୍ଡିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ସେପଟେ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ସହ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡି ପାଇଁ ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଚାଲିଛି । ଏଥି ସହିତ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ପାଇଁ ଇସ୍ରୋ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହି ପ୍ରସାରଣ ସନ୍ଧ୍ୟା ୫ଟା ୨୦ରେ ଆରମ୍ଭ ହେବ । ଇସ୍ରୋର ଅଫିସିଆଲ ୱେବସାଇଟ୍, ୟୁଟ୍ୟୁବ୍ ଓ ଫେସବୁକ୍ ପେଜରେ ଲୋକମାନେ ସିଧାପ୍ରସାରଣ ଦେଖିପାରିବେ ।

Get real time updates directly on you device, subscribe now.