ଦେଶର ୮ଟି ବ୍ୟାଙ୍କ ବଢ଼ାଇଲେ FD ସୁଧହାର: ଗ୍ରାହକଙ୍କୁ ମିଳିବ ୯ ପ୍ରତିଶତରୁ ଅଧିକ ସୁଧ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ତେଣୁ ଜନସାଧାରଣ ନିଜର ଅର୍ଜିତ ଅର୍ଥକୁ କେଉଁଠି ଓ କିପରି ନିବେଶ କଲେ ଅଧିକ ରିଟର୍ଣ୍ଣ ପାଇପାରିବେ ସେହି ପ୍ରୟାସରେ ରହିଥାନ୍ତି । ଅନେକ କ୍ଷେତ୍ରରେ ନିବେଶରୁ ଭଲ ରିଟର୍ଣ୍ଣ ମିଳୁଥିଲେ ହେଁ ସେ କ୍ଷେତ୍ରରେ ହାଇ ରିସ୍କ ରହିଥାଏ । ତେଣୁ ଗ୍ରାହକମାନେ ଭଲ ଇନଭେଷ୍ଟମେଣ୍ଟ ସ୍କିମର ସନ୍ଧାନରେ ରହିଥାନ୍ତି ।

ତେବେ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ହେଉଛି ଏକ ବଢ଼ିଆ ବିକଳ୍ପ । ଚଳିତ ମାସରେ ଦେଶର ୪ଟି ବ୍ୟାଙ୍କ ସେମାନଙ୍କର ଏଫଡି ରେଟ୍ ବୃଦ୍ଧି କରିଛନ୍ତି । ଫଳରେ ଗ୍ରାହକଙ୍କୁ ଏଣିକି ଅଧିକ ସୁଧ ମିଳିପାରିବ । ଉଭୟ ସାଧାରଣ ଗ୍ରାହକ ଓ ବରିଷ୍ଠ ନାଗରିକମାନେ ଏହି ଯୋଜନାରୁ ଫାଇଦା ଉଠାଇ ପାରିବେ । ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏଫଡିରେ ସାଧାରଣ ଜନତାଙ୍କୁ ୪ରୁ ୮.୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ସେହିପରି ବରିଷ୍ଠ ନାଗରିକଙ୍କୁ ଅଧିକ ୦.୫ ପ୍ରତିଶତ ସୁଧ ମିଳୁଛି ।

ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସାଧାରଣ ଜନତାଙ୍କୁ ୭ ଦିନଠାରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୩ରୁ ୮.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ସାଧାରଣ ଜନତାଙ୍କୁ ୪ରୁ ୮.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ଇକ୍ୱିଟାସ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୭ ଦିନରୁ ୧୦ ବର୍ଷର ଏଫଡି ଉପରେ ୩.୫ରୁ ୮.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଇଏସଏଏଫ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ନର୍ଥ ଇଷ୍ଟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଏଫଡି ଉପରେ ଗ୍ରାହକଙ୍କୁ ୯ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି ।