ଦୁଃଖ ଖବର: ଅଚ୍ୟୁତ ସାମନ୍ତଙ୍କ ଭାଇଙ୍କର ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କନ୍ଧମାଳ ସାଂସଦ, ବିଶିଷ୍ଟ ସମାଜସେବୀ, କିଟ୍ ଓ କିସ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କର ଭାଇଙ୍କର ପରଲୋକ ଘଟିଛି । ଅଚ୍ୟୁତଙ୍କର ମଝିଆଁ ଭାଇ ଅନିରୁଦ୍ଧ ସାମନ୍ତ ଆଜି ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଗତ ୬ ମାସ ହେଲା ଅନିରୁଦ୍ଧ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଥିବା ବେଳେ ଆଜି ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି ।

ଅନିରୁଦ୍ଧଙ୍କ ବିୟୋଗରେ ଅଚ୍ୟୁତଙ୍କ ପରିବାରରେ ଗଭୀର ଶୋକର ଲହରୀ ଖେଳିଯାଇଛି । ଏହି ଖବର ପାଇବା ପରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ଅଚ୍ୟୁତଙ୍କୁ ଭଲପାଉଥିବା ତାଙ୍କର ଅନେକ ପ୍ରଶଂସକ, ବନ୍ଧୁ, ପରିଜନମାନେ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅନିରୁଦ୍ଧଙ୍କୁ ତାଙ୍କ ପୁଅ ଅରିନ୍ଦମ ମୁଖାଗ୍ନି ଦେଇଥିବା ବେଳେ ଜଗତସିଂହପୁର ଜିଲ୍ଲା କଲରାବାଙ୍କ ଠାରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଭାଇଙ୍କୁ ହରାଇ ଅଚ୍ୟୁତ ଗଭୀର ଭାବେ ମର୍ମାହତ ହୋଇପଡ଼ିଛନ୍ତି ।

ସୂଚନାଯୋଗ୍ୟ ଯେ, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଅଚ୍ୟୁତ ସଫଳତାର ଯେଉଁ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି ତାହାକୁ ଛୁଇଁବା ବୋଧହୁଏ ପରବର୍ତ୍ତୀ ପୀଢ଼ିଙ୍କ ପାଇଁ ସ୍ୱପ୍ନ ହୋଇ ପଡ଼ିବ । ସମାଜକୁ ଉଲ୍ଲେଖନୀୟ ଅବଦାନ ପାଇଁ ଅଚ୍ୟୁତଙ୍କୁ ଦେଶ ବିଦେଶରୁ ୫୦ରୁ ଅଧିକ ଡକ୍ଟରେଟ୍ ଉପାଧି ମିଳିଛି । କିସରେ ଅଧ୍ୟୟନରତ ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବାକୁ, ଖାଇବାକୁ ଦେଇ ପାଠ ପଢ଼ାଇବା ନିଶ୍ଚିତ ଭାବେ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ । ପିଲାବେଳୁ ବାପାଙ୍କୁ ହରାଇଥିବା ଅଚ୍ୟୁତ ବହୁକଷ୍ଟରେ ପାଠ ପଢ଼ିଥିଲେ । ପରବର୍ତ୍ତୀ ସମୟରେ ସେ କିଟ୍ ଓ କିସ୍ ପ୍ରତିଷ୍ଠା କରି ସମାଜର ଗରିବ ଶ୍ରେଣୀର ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବାରେ ଏକ ବଡ଼ ଉଦାହରଣ ସାଜିଛନ୍ତି ।