କାହିଁକି ଚନ୍ଦ୍ରଯାନରେ ଦିଆଯାଇଛି ସୁନେଲି ପ୍ଲେଟ? ଚନ୍ଦ୍ରପୃଷ୍ଠରେ କିପରି ସାହାଯ୍ୟ କରୁଛି ଏହି ଆସ୍ତରଣ

ନୂଆଦିଲ୍ଲୀ: ଯେବେଠାରୁ ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ଯାଇ ପହଞ୍ଚିଛି ସେବେଠାରୁ ଚନ୍ଦ୍ରଯାନକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଚନ୍ଦ୍ରଯାନରେ ଲାଗିଥିିବା ସୁନା ଭଳି ଆସ୍ତରଣକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ କଲେଣି । କେବଳ ଭାରତର ଚନ୍ଦ୍ରଯାନ ନୁହେଁ ଆମେରିକା, ଋଷ, ଚୀନ୍ ମଧ୍ୟ ସେମାନଙ୍କ ମୁନ ମିଶନରେ ଏହି ସୁନା ଭଳି ଆସ୍ତରଣକୁ ବ୍ୟବହାର କରିଥାନ୍ତି । ନିକଟରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ କରିଥିବା ଋଷର ଲୁନାର-୨୫ ରେ ମଧ୍ୟ ଏହି ସୁନା ଭଳି ଆସ୍ତରଣକୁ ବ୍ୟବହାର କରାଯାଇଥିଲା । ସବୁଥିରେ ଏହାକୁ ବ୍ୟବହାର କରାଯାଏ । ତେବେ ପ୍ରକୃଥରେ ଏହି ଜିନିଷ କ’ଣ ଏବଂ ଏହା ଚନ୍ଦ୍ରଯାନକୁ କିପରି ସାହାଯ୍ୟ କରିଥାଏ?

ଏହି ସୁନା ଭଳି ଆସ୍ତରଣକୁ କୁହାଯାଏ ‘ମଲ୍ଟି ଲେୟାର ଇନସୁଲେସନ୍’ ବା ଏମ୍ଏଲ୍ଆଇ । ପଲିମାଇଡ଼ ଏବଂ ଆଲୁମିନିୟମର ଏକ ମିଶ୍ରଣ ହେଉଛି ଏହି ଆସ୍ତରଣ । ସୁନା ଭଳି ରଙ୍ଗର ଆସ୍ତରଣକୁ ପଲିମାଇଡ କୁହାଯାଉଥିବା ବେଳେ ଏହାର ପଛର ଲେୟାରକୁ ଆଲୁମିନିୟମ ବୋଲି କୁହାଯାଏ । ଭାରତର ଅନେକ ମ୍ୟୁଜିୟମରେ ଏହି ମ୍ୟାଟେରିଆଲ ଦେଖିବାକୁ ମିଳିବ ।

ହେଲେ ଏହାକୁ କେବଳ ମହାକାଶକୁ ଯାଉଥିବା ଯାନ ମାନଙ୍କରେ ଲଗାଯାଏ । ଏହାର କାରଣ ହେଉଛି ସ୍ପେସ୍ ବା ମହାକାଶକୁ ଯାଉଥିବା ସ୍ପେସକ୍ରାଫ୍ଟକୁ ଦୁଇ ପ୍ରକାର ତାପମାତ୍ରା ସହ୍ୟ କରିବାକୁ ପଡ଼ଥାଏ । ଗୋଟିଏ ହେଉଛି ସୂର୍ଯ୍ୟଙ୍କ କିରଣରୁ ପ୍ରବଳ ଗରମ ଏବଂ ଦ୍ୱିତୀୟଟି ହେଉଛି ଅନ୍ଧାର କାରଣରୁ ପ୍ରବଳ ଥଣ୍ଡା । ଯଦି ସ୍ପେସକ୍ରାଫ୍ଟ ବହୁତ ଗରମ ହୋଇଯାଏ, ତେବେ ଇଲେକ୍ଟ୍ରୋନିକ୍ସ ଜଳିଯିବ ଏବଂ ଅତ୍ୟଧିକ ଥଣ୍ଡା ହେଲେ ଇଲେକ୍ଟ୍ରୋନିକ୍ସ ମରିଯିବେ । ତେଣୁ ଏହି ମଲ୍ଟି ଲେୟାର ଇନସୁଲେସନ ସ୍ପେସକ୍ରାଫ୍ଟକୁ ଅତ୍ୟଧିକ ଥଣ୍ଡା ଏବଂ ଅତ୍ୟଧିକ ଗରମ ହେବାରୁ ବଞ୍ଚାଇଥାଏ । ଅତ୍ୟଧିକ ଥଣ୍ଡା ହେଲେ ସ୍ପେସକ୍ରାଫ୍ଟର ନିଜସ୍ୱ ଗରମ ମଲ୍ଟିଲେୟାର ସହ ରିଫ୍ଲେକ୍ଟ ହୋଇ ନିଜକୁ ଗରମ ରଖିବାରେ ସାହାଯ୍ୟ କରେ । ସେହିପରି ବାହାରେ ସୁର୍ଯ୍ୟଙ୍କ ଉତ୍ତାପ ଏହି ସୁନା ଭଳି ଦିସୁଥିବା ଆସ୍ତରଣରେ ରିଫ୍ଲେକ୍ଟ ହୁଏ । ଫଳରେ ଅଧିକ ପରିମାଣରେ ଗରମ ହୁଏ ନାହିଁ ।

ତେବେ ଏହାର କିଛି କ୍ଷେତ୍ରରେ ଅସଲି ସୁନାକୁ ମଧ୍ୟ ବ୍ୟବହାର କରାଯାଇପାରିବ । ଋଷ ଏବଂ ନାସା ଅସଲି ସୁନାର ପ୍ଲେଟକୁ ମଧ୍ୟ ବ୍ୟବହାର କରନ୍ତି । ସୁନାରେ ତାପମାତ୍ରା ବହୁତ କମ୍ ସମୟରେ ରିଫ୍ଲେକ୍ଟ ହୁଏ, ତେଣୁ ମହାକାଶ ଯାନରେ ସୁନାର ପ୍ଲେଟକୁ ବ୍ୟବହାର କରାଯାଏ । ତେବେ ନାସା ଏବେ ମହାକାଶଚାରୀଙ୍କ ହେଲମେଟରେ ମଧ୍ୟ ସୁନାର ଆସ୍ତରଣ ଲଗାଇଛି ।