fbpx

ISROର ସୂଚନା: ଚନ୍ଦ୍ରରେ ଅମ୍ଲଜାନ, ସଲଫର, ଆଲୁମିନିୟମ ପରି ବହୁ ପଦାର୍ଥ ରହିଥିବା ନେଇ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଭାରତ ଅବତରଣ କରିଥିଲା । ଚନ୍ଦ୍ରଯାନ-୩ ମିଶନ ମାଧ୍ୟମରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବା ପରେ ଭାରତ ଇତିହାସ ରଚିଥିଲା । ତେବେ ଏହା ମଧ୍ୟରେ ଚନ୍ଦ୍ରରୁ ଆସିଛି ଏକ ବଡ଼ ଖବର । ଚନ୍ଦ୍ରରେ ଅମ୍ଲଜାନ ସହିତ ଅନ୍ୟାନ୍ୟ ପଦାର୍ଥ ରହିଥିବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି ।

ମଣିଷ ଜୀବନ ପାଇଁ ସବୁଠାରୁ ଜରୁରୀ ଜିନିଷ ଅମ୍ଲଜାନ ତତ୍ତ୍ୱକୁ ଖୋଜିବାରେ ପ୍ରଜ୍ଞାନ ରୋଭର ସଫଳତା ହାସଲ କରିଛି । ଚନ୍ଦ୍ରପୃଷ୍ଠରେ ଅମ୍ଲଜାନ ବ୍ୟତୀତ ସଲଫର, ଆଲୁମିନିୟମ, କ୍ୟାଲସିୟମ, ଆଇରନ, କ୍ରୋମିୟମ, ଟିଟାନିୟମ, ମାଙ୍ଗାନିଜ, ସିଲିକନ ପରି ବହୁ ଖଣିଜ ପଦାର୍ଥ ରହିଥିବା ନେଇ ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ସ୍ପଷ୍ଟ କରିଛି । ଲେଜର-ଇନଡ୍ୟୁସଡ ବ୍ରେକଡାଉନ ସେକ୍ଟୋସ୍କୋଫି (ଲିବସ) ଡିଭାଇସ୍ ଜରିଆରେ ପ୍ରଜ୍ଞାନ ଅମ୍ଲଜାନର ସନ୍ଧାନ ପାଇଥିବା କୁହାଯାଉଛି ।

ଚନ୍ଦ୍ରର ଦକ୍ଷିଣ ମେରୁକୁ ଯାଇ ସେଠାରେ ଅମ୍ଲଜାନ ଚିହ୍ନଟ କରିବା ପ୍ରଥମ ଘଟଣା । ତେବେ ଅମ୍ଲଜାନ ସମେତ ଅନ୍ୟାନ୍ୟ ବହୁ ଖଣିଜ ପଦାର୍ଥକୁ ଚନ୍ଦ୍ରରେ ଚିହ୍ନଟ କରାଯିବା ପରେ ଏବେ ଉଦଯାନର ସନ୍ଧାନ ପାଇଁ ପ୍ରୟାସ ଜାରି ରହିଛି । ଯେଉଁ ଲିବସ ଡିଭାଇସ ଦ୍ୱାରା ପ୍ରଜ୍ଞାନ ଏହିସବୁ ଖଣିଜ ପଦାର୍ଥକୁ ଠାବ କରିଛି, ତାହାକୁ ଲାବୋରେଟୋରୀରେ ବିକଶିତ କରାଯାଇଥିଲା । ଏହି ଡିଭାଇସ ଚନ୍ଦ୍ରରେ ତୀବ୍ର ଲେଜର କିରଣକୁ ପକାଇ ତାହାକୁ ବିଶ୍ଲେଷଣ କରିଥାଏ ।

Get real time updates directly on you device, subscribe now.