fbpx

ମଣିପୁରରେ ଥମିନି ହିଂସା, ସର୍ଜିକାଲ ଷ୍ଟ୍ରାଇକ ହିରୋଙ୍କୁ ଦିଆଗଲା ଅବସ୍ଥା ସୁଧାରିବାର ଦାୟିତ୍ୱ

ଇମ୍ଫାଲ:ଗତ ୩ ମାସ ଧରି ମଣିପୁରରେ ଲାଗି ରହିଥିବା ହିଂସା ଏବେବି ସଂପୂର୍ଣ୍ଣ ଭାବରେ ଥମି ନାହିଁ । ଏବେ ରାଜ୍ୟରେ ପରିସ୍‌ଥିତି ସୁଧାରିବାର ଦାୟିତ୍ୱ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ହାତରେ ସମର୍ପଣ କରାଯାଇଛି । ସେ ୨୦୧୫ରେ ମିଆଁମାରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଗତ ୨୪ ଅଗଷ୍ଟରେ ମଣିପୁର ସରକାର କର୍ଣ୍ଣେଲ ନେକ୍ଟାର ସଞ୍ଜେନବମ୍‌ଙ୍କୁ ମଣିପୁର ପୋଲିସ ବିଭାଗରେ ସିନିୟର ସୁପରିଟେଣ୍ଡେଟ୍ ଭାବରେ ନିଯୁକ୍ତ କରିଛନ୍ତି । ତାଙ୍କର କାର୍ଯ୍ୟ ଅବଧି ୫ ବର୍ଷ ପର୍ଯ୍ୟନ୍ତ ରହିବ ।

କର୍ଣ୍ଣେଲ ନେକ୍ଟାର ୨୧ ପାରା ସ୍ପେଶାଲ ଫୋର୍ସେସରେ ସେବା ଦେଇ ସାରିଛନ୍ତି । ତାଙ୍କୁ କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ର ଭଳି ସେନା ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି । ୨୮ ଅଗଷ୍ଟରେ ମଣିପୁରର ଘରୋଇ ବିଭାଗ ଯୁଗ୍ମ ସଚିବ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ୧୨ ଜୁନ୍ ରେ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ୩ ମାସ ଧରି ମଣିପୁରରେ ହିଂସା ଲାଗି ରହିଛି । ଏହି ହିଂସାରେ ଏ ପର୍ଯ୍ୟନ୍ତ ପ୍ରାୟ ୧୭୦ ଲୋକଙ୍କ ମୃତ୍ୟୁ ଘଟିଲାଣି ଓ ହଜାର ହଜାର ଲୋକଙ୍କୁ ବେଘର ହେବାକୁ ପଡିଛି ।

ଗତ ୫ ଦିନ ମଧ୍ୟରେ ମଣିପୁରରେ ଅତି କମ୍‌ରେ ୧୨ ଜଣରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି ଓ ୩୦ ଲୋକ ଗୁରୁତର ହୋଇଛନ୍ତି । ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୈତେଇ ସଂପ୍ରଦାୟକୁ ଅନୁସୂଚୀତ ଜନଜାତି ମାନ୍ୟତା ଦେବା ନେଇ ନିର୍ଦ୍ଦେଶ ଦେବା ପର ଠାରୁ ଏହି ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ରାଜ୍ୟର କୁକି ସଂପ୍ରଦାୟ ଓ ମୈତେୟୀ ସଂପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା ।

ତେବେ ଏହି ନୂତନ ନିଯୁକ୍ତିକୁ ନେଇ କୁକି ସଂଗଠନ ଖୁସି ନାହିଁ । କୁକି ସଂଗଠନ କହିଛି ମୈତେୟୀ ଅଧିକାରୀଙ୍କୁ ରାଜ୍ୟରେ ଉଚ୍ଚ ପଦରେ ବସାଯାଉଛି । ଏଙ୍ଖାରେ ସୂଚାଇ ଦିଆଯାଇପାରେ ମଣିପୁରରେ ମଝିରେ ସେନା ଓ ପୋଲିସ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଥିଲା । ଏହାକୁ ରୋକିବା ଲାଗି ମଧ୍ୟ ଏହିପରି ପଦକ୍ଷେପ ନିଆଯାଇଥିଲା ।

Get real time updates directly on you device, subscribe now.