fbpx

ଦିନିକିଆ ବିଶ୍ୱକପ ୨୦୨୩: BCCI ଘୋଷଣା କଲା ୧୫ ଜଣିଆ ଭାରତୀୟ ଦଳ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୫ ତାରିଖରେ ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ହେବ । ଏହାପରେ ନଭେମ୍ବର ମାସ ୧୯ ତାରିଖରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ବିଶ୍ୱକପରେ ମୋଟ ୧୦ଟି ରାଷ୍ଟ୍ର ଅଂଶଗ୍ରହଣ କରିବେ । ତେବେ ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ପରବର୍ତ୍ତୀ ସମୟରେ ଟିମରେ କୌଣସି ପରିବର୍ତ୍ତନ କରିବାକୁ ହେଲେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଠାରୁ ଅନୁମତି ନେବାକୁ ପଡ଼ିବ ।

ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ କେଉଁ ଖେଳାଳିମାନେ ସ୍ଥାନ ପାଇବେ ସେନେଇ କ୍ରୀଡ଼ାପ୍ରେମୀମାନେ ଉତ୍ସୁକତାର ସହିତ ଚାହିଁ ରହିଥିଲେ । ତେବେ ୧୫ ଜଣିଆ ବିଶ୍ୱକପ ଟିମରେ ରହିଛନ୍ତି- ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶାନ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ଶାର୍ଦୁଲ ଠାକୁର, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ।

ଭାରତ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆକୁ, ଅକ୍ଟୋବର ୧୧ରେ ଆଫଗାନିସ୍ତାନକୁ, ଅକ୍ଟୋବର ୧୪ରେ ପାକିସ୍ତାନକୁ, ଅକ୍ଟୋବର ୧୯ରେ ବାଂଲାଦେଶକୁ, ଅକ୍ଟୋବର ୨୨ରେ ନ୍ୟୁଜିଲାଣ୍ଡକୁ, ଅକ୍ଟୋବର ୨୯ରେ ଇଂଲଣ୍ଡକୁ, ନଭେମ୍ବର ୨ରେ ଶ୍ରୀଲଙ୍କାକୁ, ନଭେମ୍ବର ୫ରେ ଦକ୍ଷିଣ ଆଫ୍ରିକାକୁ ଓ ନଭେମ୍ବର ୧୨ରେ ନେଦରଲାଣ୍ଡସକୁ ଭେଟିବ । ଏଥର ଭାରତରେ ବିଶ୍ୱକପ ଆୟୋଜନ ହେଉଥିବାରୁ ଟିମ୍ ଇଣ୍ଡିଆ ନିକଟରେ ବିଶ୍ୱ ଚାମ୍ପିୟନ ହେବା ପାଇଁ ଏକ ବଡ଼ ସୁଯୋଗ ରହିଛି । ଚଳିତ ବିଶ୍ୱକପରେ ୪୫ ଦିନ ମଧ୍ୟରେ ୪୮ଟି ମ୍ୟାଚ ଖେଳାଯିବ । ସେଥିପାଇଁ ୧୦ଟି ଭେନ୍ୟୁ ସ୍ଥିର କରାଯାଇଛି ।

Get real time updates directly on you device, subscribe now.