fbpx

କାନାଡ଼ାରେ ପୁଣି ଖଲିସ୍ତାନ ସମର୍ଥନ ନାରାବାଜି: PM ମୋଦୀ, ଅମିତ ଶାହା, ଜୟଶଙ୍କରଙ୍କୁ ଧମକ

ନୂଆଦିଲ୍ଲୀ: ପୁଣିଥରେ କାନାଡ଼ାରେ ଖଲିସ୍ତାନ ସମର୍ଥନକୁ ନେଇ ଆରମ୍ଭ ହୋଇଛି ନାରାବାଜି । ଏହାସହିତ ଭାରତ ବିରୋଧୀ ଜନମତ ସଂଗ୍ରହ ଉପରେ ଏକ ଆୟୋଜନ ମଧ୍ୟ କରାଯାଇଛି । ଏହାକୁ ନେଇ ଜି-୨୦ ସମ୍ମିଳନୀରେ କାନାଡ଼ାର ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ମୋଦୀ ଅସନ୍ତୋଷ ବ୍ୟକ୍ତ କରିବା ପରେ ଏହି ଘଟଣା ପୁଣିଥରେ ଜୋର ଧରିଛି । ଗୁରପରୱନ୍ତ ପନ୍ନୁଙ୍କ ନେତୃତ୍ୱରେ କାନାଡ଼ାର ସରେଠାରେ ଏହି ଭାରତ ବିରୋଧୀ ଜନମତ ସଂଗ୍ରହ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ପନ୍ନୁ ଖୋଲାଖୋଲି ଭାବରେ ଭାରତର ବାଲକ୍ନୀକରଣକୁ ଆହ୍ବାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପିଏମ ମୋଦୀ, ଅମିତ ଶାହ, ଏନଏସଏ ଅଜିତ ଡୋବାଲ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ଖୋଲାଖୋଲି ଭାବରେ ଧମକ ଦିଆଯାଇଛି । ଖଲିସ୍ତାନ ଜନମତ ସଂଗ୍ରହ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୦ ତାରିଖରେ ସରେ ସମେତ ବେଙ୍କୁବରରେ ଗୁରୁ ନାନକ ସିଂହ ଗୁରୁଦ୍ୱାରାରେ ମଧ୍ୟ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୭୦-୭୫ ହଜାର ଲୋକ ଏକତ୍ରିତ ହେବା ନେଇ ଆଶା ରଖିଥିଲେ ଖଲିସ୍ତାନୀ ସମର୍ଥକ । ତେବେ ପ୍ରଥମେ ଏହା ଏକ ସରକାରୀ ସ୍କୁଲରେ ହେବାର ଯୋଜନା ଥିବା ବେଳେ ହଙ୍ଗାମା ପରେ ଅନୁମତି ରଦ୍ଦ କରାଯାଇଛି ।

ପନ୍ନୁ ଏହି କାର୍ଯ୍ୟକ୍ରମରେ ସାର୍ବଜନିକ ଭାବରେ ଉପସ୍ଥିତ ହେବା ସହ ପୁଣିଥରେ ‘ବାଲକନୀକରଣ ଇଣ୍ଡିଆ’କୁ ଇସାରା କରି ଏକ ଉତ୍ତେଜନାତ୍ମକ ବୟାନ ଦେଇଛନ୍ତି । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଏକ ଟିମ ମଧ୍ୟ ତାଙ୍କ ସହିତ ରହିଥିଲେ । ସୂଚନା ଅନୁସାରେ, ଜି-୨୦ ସମ୍ମିଳନୀରେ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଦେଶରେ ଲଗାତାର ହେଉଥିବା ଭାରତ ବିରୋଧୀ ଗତିବିଧିକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ ଏ ନେଇ କାନାଡ଼ାରେ ପୁଣିଥରେ ଖଲସ୍ତାନ ସମର୍ଥକଙ୍କ ନାରାବାଜି ସହ ଭାରତ ବିରୋଧୀ ଗତିବିଧି ଆରମ୍ଭ ହୋଇ ଯାଇଛି ।

Get real time updates directly on you device, subscribe now.