fbpx

ବର୍ଷା ନ ଛାଡିବା ଯାଏ କମିବନି ଡେଙ୍ଗୁ, ଦୈନିକ ୨୦୦ରୁ ୨୫୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁସ୍ଥିତି ଉଦ୍ବେଗଜନକ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନବୃଦ୍ଧି ପାଇବାରେ ଲାଗିଛି । ଏବେ ରାଜ୍ୟରେ ପ୍ରତିଦିନ ୨୦୦ରୁ ୨୫୦ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଡେଙ୍ଗୁ ବଂଶ ବିସ୍ତାର ପାଇଁ ବର୍ତ୍ତମାନ ପାଗ ଅନୁକୂଳ ରହିଛି । ତେବେ ବର୍ଷା ନ ଛାଡ଼ିବା ଯାଏ ଏହି ରୋଗ କମିବ ନାହିଁ । ଜୁଲାଇରୁ ଅକ୍ଟୋବର ହେଉଛି ଡେଙ୍ଗୁର ପିକ୍ ପରିୟଡ଼ । ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ସମ୍ଭାବନା ରହିଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ସେ କହିଛନ୍ତି ଯେ ଡେଙ୍ଗୁରୁ ବର୍ତ୍ତିବା ପାଇଁ ନିଜ ଘର ଓ ଚାରିପଟ ସଫା ରଖିବା ଜରୁରି । ଏ କ୍ଷେତ୍ରରେ ସଚେତନତା ହିଁ ଏକମାତ୍ର ମାଧ୍ୟମ । ସାମାନ୍ୟ ଚିକିତ୍ସାରେ ୯୮ ପ୍ରତିଶତ ଲୋକ ଡେଙ୍ଗୁରୁ ଭଲ ହୋଇପାରିବେ । ତେଣୁ ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡାକ୍ତର ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮,୬୧୦ଜଣଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୫୦୯୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୫୨୦, ପୁରୀରୁ ୫୫୫, ବାଲେଶ୍ୱରରୁ ୪୭୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋଗୀଙ୍କୁ ମଶା କାମୁଡ଼ି ଅନ୍ୟଜଣଙ୍କୁ କାମୁଡ଼ିଲେ ଡେଙ୍ଗୁରୋଗ ହୋଇଥାଏ । ଯଦି ଏଡିଶ ମଶା ଆଖପାଖରେ କୌଣସି ଯାଗାରେ ରହିଥିବେ, ତେବେ ଡେଙ୍ଗୁ ଆଶଙ୍କା ରହିବ ବୋଲି ଡାକ୍ତର ମିଶ୍ର କହିଛନ୍ତି ।

ସେ କହିଛନ୍ତି ଯେ ଏବେ ଡେଙ୍ଗୁ ପାଇଁ ଆଉ କୌଣସି ଭୟ କରିବାର ନାହିଁ । କାରଣ କରୋନା ପରେ ସେରମ ଇନଷ୍ଟିଚ୍ୟୁଟ ଡେଙ୍ଗୁ ଟିକା ଲଞ୍ଚ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବର୍ଷକ ଭିତରେ ଭାରତକୁ ଏହି ଭାକ୍ସିନ ମିଳିବ ବୋଲି ଡାକ୍ତର ମିଶ୍ର ଆଶାପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.