ଇମ୍ପାଲ : ଗୁରୁବାର ମଣିପୁର ପୋଲିସ ମୃତ ଓ ଆହତମାନଙ୍କ ତଥ୍ୟ ପ୍ରଦାନ କରିବା ବେଳେ କହିଛନ୍ତି, ଗତ ୪ ମାସ ଭିତରେ ମଣିପୁର ଜାତିଆଣ ହିଂସାରେ ୧୭୫ ଜଣଙ୍କ ଜୀବନ ଗଲାଣି ଏବଂ ୯୬ଟି ମୃତ ଶରୀର ପଡ଼ିରହିଛି, ଯାହାକୁ ଏପର୍ଯ୍ୟନ୍ତ କେହି ଦାବି କରିନାହାନ୍ତି। ଏହାସହିତ ହିଂସା ସମୟରେ ଉତ୍ତ୍ୟକ୍ତ ଜନତା ଚୋରାଇ ନେଇଥିବା ଅସ୍ତ୍ରଶସ୍ତ୍ର ଭିତରୁ ମାତ୍ର ଏକଚତୁର୍ଥାଂଶ ଉଦ୍ଧାର ହୋଇପାରିଛି ।
ଇମ୍ଫାଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଆଇଜି ଆଇକେ ମୁଇବାହଙ୍କ ସହ ପ୍ରଶାସନ ଆଇଜିପି ଜୟନ୍ତ କୁମାର, ନିଶୀଥ କୁମାର ଉଜ୍ଜୱାଲ (ଇଣ୍ଟେଲିଜେନ୍ସ) ଓ ଆଇଜିପି (ଜୋନ୍ ୨)ର କେ କାବିବ ମୃତ୍ୟୁ ତାଲିକା ପଢ଼ିଥିଲେ। ଆଇଜି ମୁଇବାହ କହିଛନ୍ତି ଯେ, ୪ ମାସରେ ୧୭୫ ଜଣଙ୍କର ମୃତ୍ୟୁ ହୋଇଛି, ୧,୧୧୮ ଜଣ ଆହତ ହୋଇଛନ୍ତି ଏବଂ ୩୨ ଜଣ ଏବେ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି ।
ଗତ ଚାରିମାସରେ ଅତି କମ୍ରେ ୫,୧୭୨ ଥର ଅଗ୍ନିକାଣ୍ଡ ମାମଲା ଘଟିଥିଲା, ଯେଉଁଥିରେ କି ୪,୭୮୬ ଘର ସହ ୩୮୬ଟି ଧାର୍ମିକ ସ୍ଥାନ ପୋଡିଯାଇଥିଲା । ହିଂସା ଆରମ୍ଭରୁ ରାଜ୍ୟର ଅସ୍ତ୍ରାଗାରରୁ ମୋଟ ୫,୬୬୮ଟି ଅସ୍ତ୍ରଶସ୍ତ୍ର ଚୋରି ମଧ୍ୟ ହୋଇଥିଲା। ଏଥିମଧ୍ୟରୁ ୧,୩୨୯ଟି ଅସ୍ତ୍ର ଉଦ୍ଧାର କରାଯାଇଛି । ତା’ଛଡ଼ା ୧୫,୦୫୦ଟି ଗୁଳି ଏବଂ ୪୦୦ଟି ବୋମା ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି । ସୁରକ୍ଷା ବାହିନୀ ରାଜ୍ୟରେ ୩୬୦ରୁ ଅଧିକ ବେଆଇନ ବଙ୍କରକୁ ନଷ୍ଟ କରି ଦେଇଛନ୍ତି ଏବଂ ଏହାସହ ଅନେକ ବାରିକେଡକୁ ମଧ୍ୟ ହଟାଇ ଦିଆଯାଇଛି ବୋଲି ମୁଇବାହ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମୈତେୟୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ଦାବି ବିରୋଧରେ କୁକି ସମ୍ପ୍ରଦାୟର ବିକ୍ଷୋଭ ପ୍ରଦର୍ଶନକୁ ନେଇ ଗତ ମେ ୩ ତାରିଖରୁ ଚୁରାଚାନ୍ଦପୁର ସହରରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା।