ଅବିଶ୍ୱାସ ହେଲେ ବି ସତ! ମୂଷା ଧରିବା ପାଇଁ ୩ ବର୍ଷରେ ରେଲୱେ ଖର୍ଚ୍ଚ କରିଛି ୬୯ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବେଳେବେଳେ ଏପରି କିଛି ଘଟଣା ଘଟିଥାଏ ଯାହାକୁ କେହି ସହଜରେ ବିଶ୍ୱାସ କରିନଥାନ୍ତି । ଅନେକ ସମୟରେ ମୂଷାଙ୍କ ପାଇଁ ଅନେକ ସମସ୍ୟା ଉପୁଜିଥାଏ । ଯଦି ଆପଣଙ୍କୁ ଗୋଟିଏ ମୂଷାକୁ ଧରିବାକୁ ସରକାରଙ୍କ ତରଫରୁ ୪୧ ହଜାର ଟଙ୍କା ଖର୍ଚ୍ଚ କରିବା କଥା କୁହାଯିବ ତେବେ ଏହାକୁ ଆପଣ ହସରେ ଉଡ଼ାଇବା ସହିତ ପାଗଳ ବୋଲି କହିବେ । କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ୍ୟ । ରେଲୱେ ପକ୍ଷରୁ ଏହି ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଉତ୍ତର ରେଲୱେ ଷ୍ଟେସନ ଓ ପ୍ଲାଟଫର୍ମରେ ବୁଲୁଥିବା ମୂଷାଙ୍କୁ ଧରିବା ପାଇଁ ଟେଣ୍ଡର ଜାରି କରାଯାଇଥିଲା । ତେବେ ମୂଷାଙ୍କୁ ଧରିବା ପାଇଁ ଯେଉଁ ପରିମାଣର ଅର୍ଥ ଖର୍ଚ୍ଚ କରାଯାଇଥିଲା ତାହା ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଗୋଟିଏ ମୂଷାକୁ ଧରିବା ପାଇଁ ରେଲୱେ ପକ୍ଷରୁ ୪୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା ।

ମୂଷାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଉତ୍ତର ରେଲୱେର ଲକ୍ଷ୍ନୌ ଡିଭିଜନ ପକ୍ଷରୁ ହଜାରେ କି ଦୁଇ ହଜାର ନୁହେଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି ଏତେ ଟଙ୍କା ଖର୍ଚ୍ଚ କରାଯିବା ପରେ ମାତ୍ର ୧୬୮ଟି ମୂଷାଙ୍କୁ ଧରାଯାଇଥିଲା । ଅର୍ଥ ହେଉଛି ଗୋଟିଏ ମୂଷାକୁ ଧରିବା ପାଇଁ ୩ ବର୍ଷରେ ପାଖାପାଖି ୪୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ଆରଟିଆଇ ଆଧାରରେ ମିଳିଥିବା ଏହି ତଥ୍ୟକୁ ନେଇ ରେଳ ବିଭାଗରେ ହଡ଼କମ୍ପ ମଚିଯାଇଥିଲା ।