fbpx

ବର୍ଷା କାରଣରୁ କେନାଲକୁ ଖସିଲା ଯାତ୍ରୀବାହୀ ବସ୍: ୫ ଜଣଙ୍କ ମୃତ୍ୟୁ, ୧୦ରୁ ଅଧିକ ଯାତ୍ରୀଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ । ଅନେକ ସମୟରେ ଦୁର୍ଘଟଣା ଘଟି ଅକାଳରେ ବହୁ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଅନେକ ପରିବାର ବର୍ବାଦ ହୋଇଯାଇଥାଏ । ଏଥିସହିତ କିଛି ଲୋକ ଆହତ ହୋଇ ଦୀର୍ଘଦିନ ପର୍ଯ୍ୟନ୍ତ ମରଣ ସହିତ ସଂଘର୍ଷ କରିଥାନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଗୋଟିଏ ଯାତ୍ରୀବାହୀ ବସ୍ ଏକ କେନାଲ ମଧ୍ୟକୁ ଖସିପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏକ ଘରୋଇ ବସରେ ୬୦-୬୫ ଜଣ ଯାତ୍ରୀ ଯାତ୍ରା କରୁଥିବା ସମୟରେ ପ୍ରବଳ ବର୍ଷା କାରଣରୁ ଭାରସାମ୍ୟ ହରାଇ ତାହା କେନାଲ ମଧ୍ୟକୁ ଖସିପଡ଼ିଥିଲା । ଆହତ ଯାତ୍ରୀଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି ।

ପଞ୍ଜାବର ମୁକ୍ତସର ସାହିବରେ ଏହି ଦୁର୍ଘଟଣା ଘଟିଛି । ଆଜି ଦ୍ୱିପ୍ରହର ପାଖାପାଖି ୧ଟା ସମୟରେ ପ୍ରବଳ ବର୍ଷା କାରଣରୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସୂଚନା ପାଇ ଘଟଣାସ୍ଥଳରେ ଏନଡିଆରଏଫର ଟିମ୍ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ । ମୋଟ ୪୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ବସଟି ମୁକ୍ତସରରୁ କୋଟକପୁରା ଅଭିମୁଖେ ଯାତ୍ରା କରୁଥିଲା । ମୃତକଙ୍କ ମଧ୍ୟରେ ତିନିଜଣ ପୁରୁଷ ଓ ଦୁଇଜଣ ମହିଳା ରହିଛନ୍ତି । ଏହି ଖବର ଶୁଣିବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗଭୀର ଦୁଃଖପ୍ରକାଶ କରିବା ସହିତ ପୀଡ଼ିତଙ୍କ ଉଦ୍ଧାର ଓ ସହାୟତା ନେଇ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.