ଗାଳି ଦେବାରୁ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କଲା ଇଞ୍ଜିନିୟରିଂ ଛାତ୍ର

ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶର କାନପୁରରୁ ଆସିଛି ଏକ ଲୋମ ଟାଙ୍କୁରା ଖବର। ଘଟଣାଟି କାନପୁରର କାକାଦେବୀ ଅଞ୍ଚଳର, ସେଠାରେ ଜଣେ ଇଞ୍ଜିନିୟରିଂ ଛାତ୍ର ତାଙ୍କ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଛି। ଘଟଣାକୁ ନେଇ ପୋଲିସ ଅଭିଯୁକ୍ତ ଇଞ୍ଜିନିୟର ଛାତ୍ରକୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତ ଛାତ୍ର ଜଣକ ପୋଲିସ ଆଗରେ ନିଜ ଦୋଷ ମାନିଥିଲା। ଆଉ କହିଥିଲା, ‘ମୋତେ ଉକ୍ତ ଶିକ୍ଷୟତ୍ରୀ ଆଦୌ ପସନ୍ଦ ନୁହନ୍ତି। ସେ ମୋତେ ଗାଳି କରନ୍ତି। ମୁଁ ତାଙ୍କ ଗାଳିର ପ୍ରତିଶୋଧ ନେବା ପାଇଁ ତାଙ୍କର ଫଟୋକୁ ବ୍ୟବହାର କରି ଅଶ୍ଳୀଳ ଭିଡିଓ ପ୍ରସ୍ତୁତି କରିଥିଲି। ଏହାପରେ ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲି। ଦେଖୁ ଦେଖୁ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।’

ପୋଲିସର କହିବା ଅନୁସାରେ,ନିଜର ଏପରି ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଦେଖି ଶିକ୍ଷୟତ୍ରୀ ଜଣକ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଏହାପରେ ତଦନ୍ତ ଆରମ୍ଭ ‌ହୋଇଥିଲା। ପ୍ରଥମେ ପୋଲିସ ଇନଷ୍ଟାଗ୍ରାମର ଆଇପି ଆଡ୍ରେସ ଖୋଜିଥିଲା। ପରେ ଅଭିଯୁକ୍ତକୁ ଖୋଜାଖୋଜି ଆରମ୍ଭ କରିଦେଇ ଥିଲା। ଏହି ନକଲି ଆକାଉଣ୍ଟ ସେହି ବାଳକ ନାମରେ ଥିବା ଜଣାପଡ଼ିଥିଲା। ତାହାର ପ୍ରକୃତ ନାମ ନମନ, ସେ ଜଣେ ଇଞ୍ଜିନିୟର ଛାତ୍ର ଥିବା ବେଳେ ଶିକ୍ଷୟତ୍ରୀଙ୍କ ପୂର୍ବତନ ଛାତ୍ର ବୋଲି ଯାଞ୍ଚରୁ ଜଣାପଡ଼ିଥିଲା। ‌ତେବେ ନକଲି ଇନଷ୍ଟାଗ୍ରାମ ଆଇଡି ସହିତ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଭିଡିଓ ଡିଲିଟ କରିବା ପାଇଁ ଏକ ଚିଠି ହୋଇଛି।  ଶୀଘ୍ର ଏହି ଘଟଣାର ସମାଧାନ ହୋଇଯିବ ପୋଲିସ କହିଛି।