fbpx

FCRA ନିୟମ ପରିବର୍ତ୍ତନ କଲା ଗୃହ ମନ୍ତ୍ରଣାଳୟ: ଏଣିକି ବିଦେଶରୁ ମିଳିଥିବା ଅର୍ଥର ବିବରଣୀ ଦେବେ ସମସ୍ତ NGO

ନୂଆଦିଲ୍ଲୀ: ବିଦେଶୀ ଯୋଗଦାନ ନିୟନ୍ତ୍ରଣ ଆଇନ (ଏଫସିଆରଏ)ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଯେଉଁ ଅଣ ସରକାରୀ ସଂସ୍ଥା (ଏନଜିଓ)ଗୁଡ଼ିକର ଲାଇସେନ୍ସ ଆସନ୍ତା ୩୦ରେ ସମାପ୍ତ ହେବାକୁ ଥିଲା ସେମାନଙ୍କର ଉକ୍ତ ଅବଧିକୁ ଆସନ୍ତାବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ନବୀକରଣ କରାଯାଇଛି । ଏଫସିଆରଏ ଅଧିନରେ ପଞ୍ଜିକୃତ ହୋଇଥିବା ଏନଜିଓଗୁଡ଼ିକର ବାର୍ଷିକ ରିଟର୍ଣ୍ଣସର ନିୟମାବଳୀରେ ପରିବର୍ତ୍ତନ କରାଯାଇଛି ।

ଏନଜିଓମାନେ ବିଦେଶୀ ଅର୍ଥକୁ ବ୍ୟବହାର କରି ସୃଷ୍ଟି କରିଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ପ୍ରତିବର୍ଷ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଫସିଆରଏ, ୨୦୧୧ ନିୟମ ସଂଶୋଧନ କରି ଦୁଇଟି ଧାରାକୁ ସେଥିରେ ସାମିଲ କରିଛି । ଯେଉଁ ଏନଜିଓ / ଆସୋସିଏସନଙ୍କୁ ଏଫସିଆରଏ ଦ୍ୱାରା ଲାଇସେନ୍ସ ମିଳିଥାଏ ସେମାନେ ଫର୍ମ ଏଫସି-୪ରେ ସେମାନଙ୍କର ନିଜର ବାର୍ଷିକ ରିଟର୍ଣ୍ଣ ଦାଖଲ କରିଥାନ୍ତି ।

ସେପ୍ଟେମ୍ବର ୩୦ରେ ଯେଉଁମାନଙ୍କର ଏଫସିଆରଏ ଲାଇସେନ୍ସ ସମାପ୍ତ ହେବାକୁ ଥିଲା ସେମାନଙ୍କର ନବୀକରଣ କରାଯାଇଛି । ଫଳରେ ଆସନ୍ତା ବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ବୈଧତା ଜାରି ରହିବ । ୨୦୧୯ରୁ ୨୦୨୨ ମଧ୍ୟରେ ୩୩୫ଟି ଏନଜିଓ ଓ ସଂସ୍ଥାର ପଞ୍ଜିକରଣ ନେଇ ମନ୍ତ୍ରଣାଳୟ ପକ୍ଷରୁ ଅଡିଟ୍ କରାଯାଇଥିଲା । ଗତ ତିନି ବର୍ଷ ମଧ୍ୟରେ ଏନଜିଓମାନେ ବିଦେଶରୁ ୫୫,୪୪୯ କୋଟି ଅର୍ଥ ଗ୍ରହଣ କରିଥିବା ଗୃହ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି । ଗତ ଜୁଲାଇ ମାସ ୧୭ ତାରିଖ ସୁଦ୍ଧା ଦେଶର ୧୬,୩୦୧ଟି ଏନଜିଓ ନିକଟରେ ଏଫସିଆରଏ ବୈଧ ଲାଇସେନ୍ସ ରହିଥିଲା । ସେହିପରି ନିୟମ ଉଲ୍ଲଂଘନ କାରଣରୁ ଗତ ୫ ବର୍ଷ ମଧ୍ୟରେ ୬,୬୦୦ରୁ ଅଧିକ ଏନଜିଓର ଲାଇସେନ୍ସ ରଦ୍ଦ କରାଯାଇଛି ।

Get real time updates directly on you device, subscribe now.