fbpx

ମଣିପୁର ହିଂସା: ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହର ହେଲା ଫଟୋ ଭାଇରାଲ, ଜାଣନ୍ତୁ କଣ କହିଲେ ଏନ ବୀରେନ ସରକାର

ନୂଆଦିଲ୍ଲୀ: ଦେଶର ଉତ୍ତର-ପୂର୍ବ ରାଜ୍ୟ ହିଂସା ପ୍ରଭାବିତ ମଣିପୁରରେ ଇଣ୍ଟରନେଟ୍ ସେବା ପୁନଃ ସ୍ଥାପିତ ହୋଇଥିଲା। ଏହା ପରେ ଜୁଲାଇ ମାସରେ ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା। ଏହି ପ୍ରସଙ୍ଗରେ ତୁରନ୍ତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିଶ୍ଚିତ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ମାମଲାର ତଦନ୍ତ ପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରାଯାଇଛି। ଏହି ଦୁଇ ଛାତ୍ରଙ୍କ ନାମ ୧୭ ବର୍ଷୀୟ ହିଜାମ ଲିନଥୋଙ୍ଗାମ୍ବି ଏବଂ ୨୦ ବର୍ଷୀୟ ଫିଜାମ ହେମଜିତ। ସୋମବାର (ସେପ୍ଟେମ୍ବର ୨୫) ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, “ଏହା ରାଜ୍ୟ ସରକାରଙ୍କ ନଜରକୁ ଆସିଛି ଯେ, ଜୁଲାଇ ୨୦୨୩ ଠାରୁ ନିଖୋଜ ଥିବା ଦୁଇ ଛାତ୍ର ଫିଜାମ ହେମଜିତ (୨୦ ବର୍ଷ) ଏବଂ ହିଜାମ ଲିନଥୋଙ୍ଗାମ୍ବି (୧୭ ବର୍ଷ) ଙ୍କ ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ରାଜ୍ୟବାସୀଙ୍କ ଇଚ୍ଛା ଅନୁଯାୟୀ ଏହି ମାମଲା ସିବିଆଇକୁ ହସ୍ତାନ୍ତର ହୋଇସାରିଛି। ”

ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି, “ମଣିପୁର ପୋଲିସ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ସହଯୋଗରେ ଦୁଇ ଛାତ୍ରଙ୍କ ନିଖୋଜ ହେବା ଘଟଣାରେ ସକ୍ରିୟ ଭାବେ ଅନୁସନ୍ଧାନ କରୁଛି ଏବଂ ହତ୍ୟାରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରୁଛି। ଏହା ବ୍ୟତୀତ ସୁରକ୍ଷା ବାହିନୀ ମଧ୍ୟ ଅପରାଧୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ”

ଏହି ଦୁଃଖଦ ପରିସ୍ଥିତିର ଜବାବରେ ସରକାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଫିଜାମ ହେମଜିତ ଏବଂ ହିଜାମ ଲିଣ୍ଟୋଙ୍ଗାମ୍ବି ଅପହରଣ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ତୁରନ୍ତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନ୍ୟାୟ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଜଘନ୍ୟ ଅପରାଧ ପାଇଁ ଦାୟୀ ଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦେବେ। ସରକାର ଜନସାଧାରଣଙ୍କୁ ସଂଯମତା ଅବଲମ୍ବନ କରିବାକୁ ଏବଂ ଅଧିକାରୀମାନଙ୍କୁ ଅନୁସନ୍ଧାନ କରିବାକୁ ଅନୁମତି ଦେବାକୁ ଉତ୍ସାହିତ କରୁଛନ୍ତି। ”

Get real time updates directly on you device, subscribe now.