ନୂଆଦିଲ୍ଲୀ: ଏଡଟେକ ଫାର୍ମ ବାୟଜୁସର ଭାରତରେ ଅବସ୍ଥାପିତ ସିଇଓ ଅର୍ଜୁନ ମୋହନ କମ୍ପାନୀରେ ଏକ ବଡ଼ଧରଣର ପୁନର୍ଗଠନ କରିବାକୁ ଯାଉଛନ୍ତି । ଫଳରେ କମ୍ପାନୀରୁ ୪୦୦୦-୫୦୦୦ କର୍ମଚାରୀ ଛଟେଇ ହୋଇ ପାରନ୍ତି । ମୋହନ ବାୟଜୁସର ଜଣେ ଅନୁଭବୀ କର୍ମଚାରୀ ହୋଇଥିବା ବେଳେ ଗତ ସପ୍ତାହରେ କମ୍ପାନୀର ନୂଆ ସିଇଓ ଭାବେ ତାଙ୍କର ନାମ ଘୋଷଣା କରାଯାଇଥିଲା ।
ମୋହନ ନେବାକୁ ଯାଉଥିବା ନିଷ୍ପତ୍ତି ବିଷୟରେ କମ୍ପାନୀର ବରିଷ୍ଠ କର୍ମଚାରୀମାନଙ୍କୁ ଅବଗତ କରାଇଛନ୍ତି । ତେବେ ଚାକିରି ଛଟେଇ ନିଷ୍ପତ୍ତି କମ୍ପାନୀର ସେଲ୍ସ, ମାର୍କେଟିଂ ଓ ଅନ୍ୟ କିଛି ବିଭାଗରେ ବିଶେଷ ଭାବେ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ବାୟଜୁସର ବହୁ ପୁରୁଣା କର୍ମଚାରୀ ମ୍ରିଣାଲ ମୋହିତଙ୍କ ସ୍ଥାନରେ ମୋହନଙ୍କୁ କମ୍ପାନୀର ନୂଆ ସିଇଓ ଭାବେ ନିଯୁକ୍ତି ଦିଆଯାଇଥିଲା ।
ଏଡଟେକ ୟୁନିକର୍ଣ୍ଣ ଅତ୍ୟନ୍ତ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବା ସମୟରେ ଏହି ଚାକିରି ଛଟେଇ ଖବର ସାମ୍ନାକୁ ଆସିଛି । କମ୍ପାନୀ ଅଫିସ ସ୍ଥାନ ଛାଡ଼ିବା ସହିତ ସହାୟକ କମ୍ପାନୀଗୁଡ଼ିକୁ ବିକ୍ରି ପାଇଁ ସୁଯୋଗ ଖୋଜୁଛି ଓ ବାହାରୁ ଅର୍ଥ ସଂଯୋଗ କରୁଛି । ଏହା ପୂର୍ବରୁ ମଧ୍ୟ ଏକାଧିକ ଥର ଛଟେଇ କରାଯାଇଥିଲା ।
ଏନେଇ ଜଣେ ମୁଖପାତ୍ର କହିଛନ୍ତି, ‘ଅପରେଟିଂ ଷ୍ଟ୍ରକଚରକୁ ସରଳ କରିବା, ମୂଲ୍ୟ ହ୍ରାସ କରିବା ଓ ଉତ୍ତମ କ୍ୟାଶ ଫ୍ଲୋ ମ୍ୟାନେଜମେଣ୍ଟ ପାଇଁ ଆମେ ବ୍ୟବସାୟର ପୁନର୍ଗଠନ କରିବାର ଅନ୍ତିମ ପର୍ଯ୍ୟାୟରେ ରହିଛୁ । ବାୟଜୁସର ନୂଆ ଇଣ୍ଡିଆ ସିଇଓ ଅର୍ଜୁନ ମୋହନ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟାକୁ ଶେଷ କରିବା ସହ ଏକ ସଂଶୋଧିତ ଓ ସ୍ଥାୟୀ ଅପରେସନର ନେତୃତ୍ୱ ନେବେ ।’
ଚଳିତ ମାସ ପ୍ରାରମ୍ଭରେ ବାୟଜୁସ ତା’ର କରଜପ୍ରଦାତାମାନଙ୍କୁ ଏକ ପ୍ରସ୍ତାବ ପଠାଇଥିଲା । ପରବର୍ତ୍ତୀ ୬ ମାସ ମଧ୍ୟରେ ୧.୨ ବିଲିୟନ ଡଲାର ଟର୍ମ ଲୋନ ବି ପଇଠ କରିବାକୁ ଓ ପରବର୍ତ୍ତୀ ୩ ମାସ ମଧ୍ୟରେ ୩୦୦ ମିଲିୟନ ଡଲାର ପେମେଣ୍ଟ କରିବାକୁ କୁହାଯାଇଥିଲା । ରିପେମେଣ୍ଟ ପ୍ଲାନର ଫଣ୍ଡିଂ ପାଇଁ କମ୍ପାନୀ ତା’ର ସହାୟକ କମ୍ପାନୀ ଗ୍ରେଟ ଲଣ୍ଣିଂ ଓ ଆମେରିକା ସ୍ଥିତ ଇପିକକୁ ପୁନର୍ଗଠନ କରିବାକୁ ଚାହୁଁଛି ।