fbpx

ଜେଲ ବିଭାଗର ନୂଆ ଯୋଜନା: ଜେଲରେ ଲାଗିବ ‘ଅଟୋମେଟିକ୍ ରେଷ୍ଟ୍ରିକ୍ଟେଡ୍ ଟେଲିଫୋନିକ୍ ସିଷ୍ଟମ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜେଲରେ ରହିଥିବା ବିଚାରାଧୀନ କଏଦୀଙ୍କ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଚାରାଧୀନ କଏଦୀଙ୍କ ପାଇଁ ଜିପିଏସ ଟ୍ରାକିଂ ଡିଭାଇସ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ରାଜ୍ୟ ଜେଲ ବିଭାଗ ପକ୍ଷରୁ ପୁଣି ଏକ ନୂଆ ଯୋଜନା ଆରମ୍ଭ କରାଯିବ ।

ଅନେକ ସମୟରେ କଏଦୀମାନେ ଜେଲ ଭିତରେ ରହି ଫୋନରେ ବଟି ମାଗିବା ସହିତ ସାକ୍ଷୀକୁ ଧମକ ଦେଉଥିବାର ଦେଖାଯାଉଛି । ଫଳରେ ଅପରାଧିକ କାର୍ଯ୍ୟକଳାପ ବଢ଼ୁଥିବା ଦେଖାଯାଉଛି । ଏ କ୍ଷେତ୍ରରେ କଏଦୀଙ୍କ ଉପରେ ନଜର ରଖିବା ସମ୍ଭବପର ହେଉନାହିଁ । ତେଣୁ ଏଣିକି କଏଦୀଙ୍କର କଥାବାର୍ତ୍ତା ରେକର୍ଡ କରାଯିବ । ସେଥିପାଇଁ ଜେଲରେ ‘ଅଟୋମେଟିକ ରେଷ୍ଟ୍ରିକ୍ଟେଡ ଟେଲିଫୋନିକ ସିଷ୍ଟମ’ ଲଗାଯିବ । ପ୍ରାଥମିକ ଭାବେ ଭୁବନେଶ୍ୱରର ଝାରପଡ଼ା ଓ କଟକର ଚୌଦ୍ୱାର ଚେଲରେ ଏହା ଲଗାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ବର୍ତ୍ତମାନ ସମୟରେ ରାଜ୍ୟର ପ୍ରତି ଜେଲରେ ୩-୪ଟି ଲ୍ୟାଣ୍ଡ ଫୋନ ରହିଥିବା ବେଳେ କଏଦୀମାନେ ନିଜ ନିଜର ଇଚ୍ଛା ମୁତାବକ କଥାବାର୍ତ୍ତା ହୋଇ ପାରୁଛନ୍ତି । ଏପରିକି କିଛି ହାତଗୁଞ୍ଜା ଦେଇ ଘଣ୍ଟା ଘଣ୍ଟା ଧରି ବାର୍ତ୍ତାଳାପ କରୁଥିବାର ମଧ୍ୟ ଦେଖାଯାଉଛି । ଏହା ଫଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଏହି ଟେଲିଫୋନିକ ସିଷ୍ଟମ ଲାଗିବା ଫଳରେ କଏଦୀ ତାଙ୍କର ସମ୍ପର୍କୀୟ, ଓକିଲ ଯାହା ସହିତ କଥାବାର୍ତ୍ତା ହେବେ ତାହା ରେକର୍ଡ ହୋଇ ପାରିବ । ଆବଶ୍ୟକ ସ୍ଥଳେ ଉକ୍ତ ରେକର୍ଡିଂକୁ ଶୁଣାଯାଇ ପାରିବ । ଫଳରେ କଏଦୀଙ୍କ ଉପରେ ସହଜରେ ନଜର ରଖାଯାଇ ପାରିବ ।

Get real time updates directly on you device, subscribe now.