fbpx

ପ୍ରସିଦ୍ଧ କୃଷି ବୈଜ୍ଞାନିକ ଏମ.ଏସ ସ୍ୱାମୀନାଥନଙ୍କ ପରଲୋକ: ୯୮ ବର୍ଷରେ ନେଲେ ବିଦାୟ

ନୂଆଦିଲ୍ଲୀ: ପ୍ରସିଦ୍ଧ କୃଷି ବୈଜ୍ଞାନିକ ଏମ.ଏସ ସ୍ୱାମୀନାଥନ ଆଉ ନାହାନ୍ତି । ୯୮ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି । ଚେନ୍ନାଇଠାରେ ସ୍ୱାମୀନାଥନ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାମିଲନାଡ଼ୁର ଟେନାମ୍ପେଟ ସ୍ଥିତ ବାସଭବନରେ ଆଜି ସକାଳ ୧୧.୧୫ ସମୟରେ ତାଙ୍କର ବିୟୋଗ ଘଟିଥିଲା । ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି ।

ସ୍ୱାମୀନାଥନଙ୍କୁ ସବୁଜ ବିପ୍ଲବର ଜନକ ବୋଲି କୁହାଯାଇଥାଏ । ସ୍ୱାମୀନାଥନ ଏମଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ (ଏମଏସଏସଆରଏଫ)ର ପ୍ରତିଷ୍ଠାତା ଅଟନ୍ତି । ସ୍ୱାମୀନାଥଙ୍କ ତିନି ଜଣ କନ୍ୟା ରହିଛନ୍ତି । ଡ. ସୌମ୍ୟା ସ୍ୱାମୀନାଥନ ଏମଏସଏସଆରଏଫର ଅଧ୍ୟକ୍ଷ ରହିଥିବା ବେଳେ ଡ. ମଦୁରା ସ୍ୱାମୀନାଥନ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ଜଣେ ଅର୍ଥନୀତି ପ୍ରଫେସର ଓ ନିତ୍ୟା ସ୍ୱାମୀନାଥନ ଲଂଲଣ୍ଡର ଇଷ୍ଟ ଆଙ୍ଗଲିଆ ବିଶ୍ୱବିଦ୍ୟାଳୟର ଲିଙ୍ଗ ସମୀକ୍ଷା ଓ ବିକାଶରେ ଜଣେ ଅଧ୍ୟାପକ ଅଟନ୍ତି ।

୧୯୪୯ ମସିହାରେ ସ୍ୱାମୀନାଥନ ଆଳୁ, ଗହମ, ଚାଉଳର ଜେଜେଟିକ୍ସ ଉପରେ ଗବେଷଣା ଆରମ୍ଭ କରିଥିଲେ । ୧୯୬୦ ମସିହାରେ ଯେତେବେଳେ ଭାରତ ଖାଦ୍ୟାଭାବ ସମସ୍ୟାରେ ଜର୍ଜରିତ ହେଉଥିଲା, ସେ ସମୟରେ ସ୍ୱାମୀନାଥନ ନରମାନ ବୋରଲଗ ଓ ଅନ୍ୟ ବୈଜ୍ଞାନିକଙ୍କ ସହିତ ମିଶି ଅଧିକ ଅମଳଯୁକ୍ତ ଗହମ ବୀଜ ବିକଶିତ କରିଥିଲେ । ଏହି ବିକାଶ ଫଳରେ ଭାରତ ପାରମ୍ପରିକ କୃଷି ପଦ୍ଧତିକୁ ଛାଡ଼ି ଅଧିକ ଅମଳକ୍ଷମ କୃଷି ଦିଗରେ ଆଗକୁ ବଢ଼ିଥିଲା । କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଥିବାରୁ ତାଙ୍କୁ ‘ସବୁଜ ବିପ୍ଲବର ଜନକ’ ବୋଲି କୁହାଯାଏ । ସେ ବହୁ କୃଷି ରିସର୍ଚ୍ଚ ଲାବରେ ପ୍ରଶାସନିକ ପଦରେ କାର୍ଯ୍ୟ କରିଥିଲେ । ସେ ଭାରତୀୟ କୃଷି ଗବେଷଣା ପରିଷଦ ଓ ଅନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନର ମହାନିର୍ଦ୍ଦେଶ ପଦରେ ରହିଥିଲେ । ଏଥିସହିତ ୧୯୭୯ରେ ସେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ମୁଖ୍ୟ ସଚିବ ଭାବେ ନିଯୁକ୍ତି ପାଇଥିଲେ ।

Get real time updates directly on you device, subscribe now.