fbpx

ମଇଁଷି ଗିଳିଦେଲା ମାଲିକାଣୀର ମଙ୍ଗଳସୂତ୍ର, ଅଢେଇ ଘଣ୍ଟାର ଅପରେସନ ପରେ ଡାକ୍ତର ବାହାର କରିବାକୁ ହେଲେ ସକ୍ଷମ

ୱାସିମ୍‌: ମହାରାଷ୍ଟ୍ର ୱାସିମ୍ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ମଇଁଷି ଦେଢ ଲକ୍ଷ ଟଙ୍କା ମୂଲ୍ୟର ମଙ୍ଗଳସୂତ୍ରକୁ ଗିଳି ଦେଇଛି । ଡାକ୍ତର ଅପରେସନ କରି ମଇଁଷି ପେଟରୁ ମଙ୍ଗଳସୂତ୍ର କାଢିଛନ୍ତି । ଏଥିପାଇଁ ଡାକ୍ତରଙ୍କୁ ମଇଁଷି ପେଟରେ ୬୫ ଷ୍ଟିଚ୍ କରିବାକୁ ପଡିଛି ।

ଜିଲ୍ଲାର ସାରସୀ ଗ୍ରାମରୁ ଏହିପରି ଏକ ଘଟଣା ସାମ୍‌ନାକୁ ଆସିଛି । ଏଠିକାର କୃଷକ ରାମହରିଙ୍କ ପତ୍ନୀ ଗାଧୋଇବାକୁ ଯିବା ସମୟରେ ନିଜ ମଙ୍ଗଳସୂତ୍ର ସୋୟାବିନ ଓ ବାଦାମ ଚୋପା ରଖାଯାଇଥିବା ଏକ ପ୍ଲେଟ୍‌ରେ ଲୁଚାଇ ରଖି ଦେଇଥିଲେ । ଗାଧୋଇ ଆସିବା ପରେ ସେ ସେହି ଚୋପା ପ୍ଲେଟକୁ ମଇଁଷି ସାମ୍ନାରେ ଖାଇବାକୁ ରଖି ଦେଇ ଘର କାମରେ ଲାଗି ପଡିଲେ । ଏହାର ପ୍ରାୟ ୨ଘଣ୍ଟା ପରେ ସେ ନିଜ ବେକରେ ମଙ୍ଗଳସୂତ୍ର ନ ଥିବାର ଜାଣିପାରିଲେ । ତାଙ୍କର ମନେ ପଡିଗଲା ଯେ, ସେ ମଙ୍ଗଳସୂତ୍ର ଚୋପା ଭର୍ତ୍ତି ପ୍ଲେଟରେ ଲୁଚାଇ ରଖିଥିଲେ ବୋଲି । ଏହାପରେ ଯେତେବେଳେ ସେ ମଇଁଷି ପାଖକୁ ଧାଇଁ ଯାଇଥିଲେ ସେତେବେଳେ ସେ ଦେଖିଥିଲେ ମଇଁଷି ସବୁ ଚୋପା ସହ ତାଙ୍କ ମଙ୍ଗଳସୂତ୍ରକୁ ବି ଗିଳି ଦେଇଛି । ଏହାପରେ ସେ ସବୁ କଥା ନିଜ ସ୍ୱାମୀଙ୍କୁ କହିଥିଲେ ।

ରାମହରି ୱାସିମର ପଶୁ ଚିକିତ୍ସା ଅଧିକାରୀଙ୍କୁ ଫୋନ୍ କରିଥିଲେ । ଡାକ୍ତର ମଇଁଷିକୁ ୱାସିମ ଆଣି ଆସିବାକୁ କହିଥିଲେ । ରାମହରି ମଇଁଷିକୁ ଧରି ସେଠାରେ ପହଞ୍ଚିବା ପରେ ଡାକ୍ତର ମେଟାଲ ଡିଟେକ୍ଟରରେ ପରୀକ୍ଷଣ ପରେ ଜାଣି ପାରିଥିଲେ ମଇଁଷିର ପେଟରେ କିଛି ଧାତୁ ରହିଛି । ପରବର୍ତ୍ତୀ ଦିନ ମଇଁଷି ପେଟରେ ଅସ୍ତ୍ରୋପଚାର କରାଯାଇ ମଙ୍ଗଳସୂତ୍ର ବାହାର କରାଯାଇଥିଲା । ଏହି ଅପରେସନ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ହୋଇଥିଲା ଓ ଏଥିପାଇଁ ମଇଁଷି ପେଟରେ ୬୫ଟି ଷ୍ଟିଚ୍ ପକାଇବାକୁ ପଡିଥିଲା ।

Get real time updates directly on you device, subscribe now.