ଆଲୋକ ଯାଇ ପୁଣି ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ମାଡିଆସୁଛି ଅନ୍ଧକାର; ନିଦରୁ ଉଠିବେନି କି ବିକ୍ରମ ଓ ପ୍ରଜ୍ଞାନ?

ଓଡିଶା ଭାସ୍କର; ୧୪ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାଲୋକ ଆସିବା ପରେ ବି ନିଦରେ ଶୋଇରହିଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ସେମାନଙ୍କୁ ଆଉଥରେ ସକ୍ରିୟ କରିବା ପାଇଁ ଇସ୍ରୋ ପକ୍ଷରୁ ଏକାଧିକ ପ୍ରୟାସ ଜାରିରହିଛି । କୋରୋରେ ଥିବା ୟୁରୋପୀୟ ଷ୍ଟେସନ୍‌ ଏବଂ ବେଙ୍ଗାଲୁରୁର ଆଇଏସ୍‌ଟ୍ରାକ୍‌ ଏଥିପାଇଁ ବ୍ୟାପକ ପ୍ରୟାସ କରାଯାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ । ଚନ୍ଦ୍ରପୃଷ୍ଠରେ ଏବେ ଧୀରେ ଧୀରେ ଆଲୋକ ଯାଇ ପୁଣି ଅନ୍ଧକାର ମାଡିଆସୁଥିବା ବେଳେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସେମିତି ନିଦ୍ରାବସ୍ଥାରେ ରହିଛନ୍ତି । ତେବେ ଏଭଳି ପରିସ୍ଥିତିରେ ସେମାନେ ଆଉ ନିଦରୁ ଉଠିବେ କି ନାହିଁ ? ତାହା ଏକ ପ୍ରତୀକ୍ଷାର ବିଷୟ ପାଲଟିଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି ।

ସୂଚନା ଯୋଗ୍ୟ, ୨୩ ଅଗଷ୍ଟ ୨୦୨୩ରେ ଐତିହାସିକ ଭାବେ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁ ଅଞ୍ଚଳରେ ଅବତରଣ କରିଥିଲା ଭାରତର ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ମୋଟ ୧୪ ଦିନ ଯାଏଁ ତଥ୍ୟ ସଂଗ୍ରହ ଜାରି ରଖିବ ବୋଲି ଇସ୍ରୋ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିଲା । ଏହି ସମୟ ମଧ୍ୟରେ ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ହାସଲ କରିଥିଲେ । ମିଳିଥିବା ଏହି ସମସ୍ତ ତଥ୍ୟ ଆଧାରରେ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ମାନବ ବସତି ସ୍ଥାପନରେ ସହାୟତା ମିଳିଯିବ ବୋଲି ଜଣାପଡିଛି । ହେଲେ କାର୍ଯ୍ୟକାଳ ଶେଷ କରି ସବୁଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଚିର ନିଦ୍ରାରେ ରହି ଯାଇଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ।

ଆମ ସମସ୍ତଙ୍କୁ ଜଣା, ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ ହେଉଛି ଏକ ମେସିନ । ଏହା ଚାର୍ଜ ଦ୍ୱାରା ହିଁ ପରିଚାଳିତ ହୋଇଥାଏ । ଚାର୍ଜ ଶେଷ ହେବାରୁ ଏହା ଥିବା ସ୍ଥାନରେ ନିଷ୍କ୍ରିୟ ହୋଇଥିଲା । ମେସିନ ଉପରେ ଲାଗିଥିବା ସୋଲାର ପ୍ୟାନେଲ ଦେଇ ସୂର୍ଯ୍ୟକିରଣରୁ ‘ରୋଭର୍‌ ପ୍ରଜ୍ଞାନ’କୁ ଚାର୍ଜ ମିଳିଥାଏ । ହେଲେ ଚନ୍ଦ୍ରପୃଷ୍ଠରେ ୧୪ ଦିନ ସୂର୍ଯ୍ୟକିରଣ ପଡୁଥିବା ବେଳେ ୧୪ ଦିନ ସୂର୍ଯ୍ୟକିରଣ ପଡ଼ିନଥାଏ । ଯେଉଁ କାରଣରୁ ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନକୁ ଆଉ ଚାର୍ଜ ମିଳିପାରିନଥିଲା । ଫଳରେ ଉଭୟ ଚଦ୍ରପୃଷ୍ଠରେ ନିଷ୍କ୍ରିୟ ହୋଇପଡ଼ିଥିଲେ । ହେଲେ ୧୪ ଦିନ ପରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟକିରଣ ପଡିବା ପରେ ପୁଣି ଉଭୟ ନିଦରୁ ଉଠି ଜାଗ୍ରତ ହେବେ ବୋଲି ଇସ୍ରୋ ଅନୁମାନ କରିଥିଲା । ମାତ୍ର ଇସ୍ରୋର ଏହି ଅନୁମାନ ସତରେ ପରିଣତ ହୋଇନାହିଁ।