fbpx

ଅହିଂସାର ପ୍ରତୀକ, ତଥାପି ମହାତ୍ମା ଗାନ୍ଧୀଙ୍କୁ କାହିଁକି ମିଳିଲାନି ନୋବେଲ ଶାନ୍ତି ପୁରସ୍କାର? ପ୍ୟାନେଲ କହିଲେ କାରଣ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀ, ପୂରା ନାମ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ । ଦେଶ ସ୍ୱାଧୀନତାର ଜଣେ ବଡ଼ ହସ୍ତୀ । ଅହିଂସରା ମାର୍ଗର ସେ ଥିଲେ ପୂଜାରୀ, ତେଣୁ ତାଙ୍କୁ ଅହିଂସାର ଜଣେ ପ୍ରତୀକ ବୋଲି ମଧ୍ୟ କଚହାଯାଏ । ସାରା ଜୀବନ ଅହିଂସା ମାର୍ଗରେ ଚାଲି ଅନେକ ସତ୍ୟାଗ୍ରହ ତଥା ଆନ୍ଦୋଳନରେ ବିଜୟଲାଭ କରିଥିଲେ ବାପୁଜୀ । କିନ୍ତୁ ଏଭଳି ଜଣେ ମହାପୁରୁଷ ଜୀବନରେ ଗୋଟିଏ ସଫଳତା ହାସଲ କରି ପାରି ନାହାନ୍ତି । ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କୁ କେବେ ନୋବେଲ ଶାନ୍ତି ପୁରସ୍କାର ମିଳିନାହିଁ । କିନ୍ତୁ କାହିଁକି ଏଭଳି ଜଣେ ବ୍ୟକ୍ତିତ୍ୱ ଏହି ସମ୍ମାନରୁ ବଞ୍ଚିତ ହୋଇଛନ୍ତି?

ନୋବେଲ ଶାନ୍ତି ପୁରସ୍କାର ପାଇଁ ମହାତ୍ମା ଗାନ୍ଧୀଙ୍କ ନାମ ୫ ଥର ନାମାଙ୍କିତ କରାଯାଇଛି । ୧୯୩୭, ୧୯୩୮, ୧୯୩୯ ଏବଂ ୧୯୪୭ ମସିହାରେ ତାଙ୍କ ନାମ ଏହି ତାଲିକାରେ ସ୍ଥାନ ପାଇଥିଲା । ଏହାବ୍ୟତୀତ ୧୯୪୮ ମସିହାରେ ମୃତ୍ୟୁ ପୂର୍ବରୁ ମଧ୍ୟ ତାଙ୍କ ନୋବେଲ ଶାନ୍ତି ପୁରସ୍କାର ପାଇଁ ନୋମିନେଟ କରାଯାଇଥିଲା । କିନ୍ତୁ ୫ ଥର ମଧ୍ୟରୁ କେବେ ବି ବାପୁଜୀ ଏହି ପୁରସ୍କାରରେ ସମ୍ମାନିତ ହୋଇନାହାନ୍ତି ।

୧୯୩୭ ମସିହାରେ ନରୱେ ସଂସଦର ଜଣେ ସଦସ୍ୟ ଓଲେ କୋଲବଜର୍ଣ୍ଣସନ ନୋବେଲ ଶାନ୍ତି ପୁରସ୍କାର ପାଇଁ ବାପୁଙ୍କ ନାମ ସୁପାରିଶ କରିଥିଲେ । ୧୩ ଜଣଙ୍କ ମଧ୍ୟରେ ଚୟନ ହେବା ପରେ ମଧ୍ୟ ତାଙ୍କର ପ୍ୟାନେଲରେ କିଛି ଆଲୋଚକ କହିଥିଲେ ଯେ, ସେ ଲଗାତାର ଶାନ୍ତିବାଦୀ ନଥିଲେ ଏବଂ ଇଂରେଜ ବିପକ୍ଷରେ ତାଙ୍କର କିଛି ଅହିଂସାମୂଳକ କାର୍ଯ୍ୟ ହିଂସା ଏବଂ ଆତଙ୍କରେ ପରିବର୍ତ୍ତନ ହୋଇଯିବ । ତେଣୁ ତାଙ୍କ ନାମକୁ ଏହି ତାଲିକାରୁ ବାଦ୍ ଦିଆଯାଇ ଲର୍ଡ ସେସିଲଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହାପରେ ମହାତ୍ମା ଗାନ୍ଧୀ ୧୯୩୮ ଏବଂ ୧୯୩୯ ମସିହାରେ କୋଲବଜର୍ଣ୍ଣସନଙ୍କ ଦ୍ୱାରା ପୁଣିଥରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମାଙ୍କିତ ହୋଇଥିଲେ । କିନ୍ତୁ ପୁଣିଥରେ ପୂର୍ବ ଥର ଭଳି ତାଙ୍କୁ ଏହି ପୁରସ୍କାରରୁ ବଞ୍ଚିତ ହେବାକୁ ପଡ଼ିଥିଲା । ଏହାପରେ ଲଗାତାର ୧୦ ବର୍ଷ ପାଇଁ ଏହି ତାଲିକାରେ ବାପୁଜୀଙ୍କ ନାମ ସ୍ଥାନ ପାଇନଥିଲା । ତେବେ ,ହା ମଧ୍ୟରେ ୧୯୪୭ ମସିହାରେ ଦେଶକୁ ସ୍ୱାଧୀନତା ମିଳିଲା । ଏବଂ ପୁଣିଥରେ ୧୯୪୭ ମସିହାରେ ନୋବେଲ ଶାନ୍ତି ପୁରସ୍କାର ତାଲିକାରେ ନାମ ଆସିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ । ଭାରତ-ପାକିସ୍ତାନ ସଂଘର୍ଷ ମଧ୍ୟରେ ଏହି ପ୍ୟାନେଲର ୫ ଜଣଙ୍କ ମଧ୍ୟରୁ ୩ ଜଣ ସଦସ୍ୟ ଗାନ୍ଧୀଙ୍କ ବିରୋଧରେ ଥିଲେ । ତେଣୁ ଏହି ବର୍ଷର ପୁରସ୍କାର କ୍ୱେକର୍ସ ହାତେଇ ନେଇଥିଲେ ।

ଏହାପରେ ୧୯୪୮ ମସିହା ଜାନୁୟାରୀ ମାସ, ମୃତ୍ୟୁର କିଛି ଦିନ ପୂର୍ବରୁ ଗାନ୍ଧିଜୀ ପଞ୍ଚମ ଥର ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ନାମାଙ୍କିତ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା । କିନ୍ତୁ ଏହାର ୨ ଦିନ ପୂର୍ବରୁ ହିଁ ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲା ନାଥୁରାମ ଗଡସେ । ତେବେ ମୃତ୍ୟୁପରେ ଗାନ୍ଧୀଙ୍କୁ ଏହି ପୁରସ୍କାର ଦିଆଯିବା ନେଇ ସଂସ୍ଥା ରାଜି ନ ହେବାରୁ ସେହିବର୍ଷ ମଧ୍ୟ ସେ ଏହି ପୁରସ୍କାର ପାଇ ପାରି ନଥିଲେ । କମିଟିର ନିଷ୍ପତ୍ତି ପରେ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମୃତ୍ୟୁବରଣ ନକଲେ ମୃତ୍ୟୁ ପରେ ପୁରସ୍କାର ପ୍ରଦାନ କରାଯିବା ଉଚିତ ନୁହେଁ ବୋଲି କୁହାଯାଇଥିଲା । ସେହିବର୍ଷ କୌଣସି ବିଜେତା ହୋଇନଥିଲେ । କାରଣ ନରୱେ ନୋବେଲ କମିଟି ଅନୁଭବ କରିଥିଲା ଯେ ଏହି ତାଲିକାରେ କୌଣସି ଉପଯୁକ୍ତ ଜୀବନ୍ତ ପ୍ରାର୍ଥୀ ନାହାଁନ୍ତି । ତେବେ ମହାତ୍ମା ଗାନ୍ଧୀଙ୍କ ଭଳି ଅହିଂସା ପରାୟଣ ବ୍ୟକ୍ତିତ୍ୱଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରିବା ଉଚିତ ବୋଲି ଅନେକ ଚିନ୍ତା କରିଥିଲେ । କିନ୍ତୁ ବାପୁଙ୍କ ମୃତ୍ୟୁ ପରେ ମଧ୍ୟ ଏହା ସମ୍ଭବ ହୋଇ ପାରି ନଥିଲା ।

Get real time updates directly on you device, subscribe now.