NewsClickର ମୁଖ୍ୟ ସମ୍ପାଦକ ପ୍ରବୀର ଓ HR ମୁଖ୍ୟ ଗିରଫ

ନୂଆଦିଲ୍ଲୀ: ଆଣ୍ଟି-ଟେରର ମାମଲାରେ ନ୍ୟୁଜକ୍ଲିକର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରାଯାଇଛି । ଏଥିସହିତ ସଂସ୍ଥାର ମାନବ ସମ୍ବଳ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି । ଚୀନର ପ୍ରଚାରକୁ ଏହି ନ୍ୟୁଜ୍ ପୋର୍ଟାଲ ଗୁରୁତ୍ୱ ଦେବା ପାଇଁ ଏକ ନେଟୱାର୍କଠାରୁ ଅର୍ଥ ଗ୍ରହଣ କରିଥିବା ନେଇ ଏକ ନ୍ୟୁୟର୍କ ଟାଇମ୍ସ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ତେବେ ଏହି ଅଭିଯୋଗ ଆସିବାର ଗୋଟିଏ ଦିନ ପରେ ଆଣ୍ଟି-ଟେରର ଆଇନ, ବେଆଇନ କାର୍ଯ୍ୟକଳାପ (ନିବାରଣ) ଆକ୍ଟ ଆଧାରରେ ସାମ୍ବାଦିକ ପ୍ରବୀରଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ କରିବା ପୂର୍ବରୁ ସଂସ୍ଥା ସହିତ ସମ୍ପର୍କରେ ରହିଥିବା ବହୁ ସାମ୍ବାଦିକଙ୍କ ଘରେ ରେଡ୍ କରାଯାଇଥିଲା । ଦିଲ୍ଲୀ-ଏନସିଆର ଓ ମୁମ୍ବାଇର ୨୦ଟି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

ତେବେ ମୋଟ ୩୭ ଜଣ ପୁରୁଷ ଓ ୯ ଜଣ ମହିଳା ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯିବା ସହିତ ସେମାନେ ରହୁଥିବା ସ୍ଥାନରୁ ଡିଜିଟାଲ ଡିଭାଇସ, ଡକ୍ୟୁମେଣ୍ଟ ଜବତ କରାଯାଇଥିଲା । ଏହି ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ କେବଳ ପ୍ରବୀର ଓ ଅମିତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ଖବର ମିଳିଛି । ଆଗକୁ ମଧ୍ୟ ତଦନ୍ତ ଜାରି ରହିବ ବୋଲି କୁହାଯାଇଛି । ଏହି ସଂସ୍ଥା ଚୀନ ସହ ଜଡ଼ିତ କଣ୍ଟେଣ୍ଟ ନିଜ ୱେବସାଇଟରେ ବ୍ୟବହାର କରିବା ପାଇଁ ପାଖାପାଖି ୩୮ କୋଟି ଟଙ୍କା ପ୍ରାପ୍ତ କରିଥିବା ଅଭିଯୋଗ ହୋଇଥିଲା ।