(video)ସୀମା ଟପିଛି ହମାସର ବର୍ବରତା, ଆଖି ସାମ୍ନାରେ ଝିଅକୁ ହତ୍ୟା କରି ଏକ ଦମ୍ପତିକୁ ଅନ୍ୟ ୨ ସନ୍ତାନ ସହିତ ରଖିଲେ ବନ୍ଧକ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ଛାତି ଥରାଇଦେବା ଭଳି ବିଭିନ୍ନ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଆପଣଙ୍କ ଛାତି ଥରି ଉଠିବ । ଭିଡିଓରେ ଦେଖିବାକୁ ମିଳୁଛି ମାରଣାସ୍ତ୍ର ଧରିଥିବା ହମାସର ଆତଙ୍କବାଦୀ ଏକ ଇସ୍ରାଏଲ ପରିବାରକୁ ବନ୍ଧକ ରଖିଥିବାର ଦେଖିବାକୁ ମିଳୁଛି । କେବଳ ବନ୍ଧକ ରଖି ନାହାନ୍ତି ପରିବାର ସାମ୍ନାରେ ସେମାନେ ତାଙ୍କ ଝିଅକୁ ହତ୍ୟା କରୁଥିବାର ଦେଖିବାକୁ ମିଳୁଛି । ଆମେରିକାରେ ଥିବା ଇସ୍ରାଏଲ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ହମାସ ଇସ୍ରାଏଲରେ ନୃଶଂସ ହତ୍ୟାକାଣ୍ଡ ଚଳାଇଛି । ହମାସ ଆତଙ୍କବାଦୀ ୧୦୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କୁ ବନ୍ଧକ କରି ରଖିଛନ୍ତି ।

ଏହି ଭିଡିଓକୁ ଇସ୍ରାଏଲରେ ଥିବା ଜଣେ ସାମ୍ବାଦିକ ଏକ୍ସରେ ସେୟାର କରିଛନ୍ତି । ଭିଡିଓରେ ଏକ ଦମ୍ପତି ନିଜ ପୁଅ ଓ ଝିଅ ସହ ଚଟାଣ ଉପରେ ବସିଥିବା ନଜର ଆସୁଛନ୍ତି । ପିଲା ଦୁଇଟି ନାବାଳକ ଥିବା ପରି ଜଣାପଡୁଛନ୍ତି । ଭିଡିଓରେ ପୁଅଟି ବାପାଙ୍କୁ ପଚାରୁଛି ତୁମ ହାତରେ ରକ୍ତ କାହିଁକି ଲାଗିଛି । ଏହା କହି ପିଲାଟି କାନ୍ଦୁଛି ।

ଭିଡିଓରେ ଝିଅଟି କହୁଥିବାର ଦେଖାଯାଉଛି ଯେ, ସେମାନେ ମୋ ଭଉଣୀକୁ କାହିଁକି ମାରିଦେଲେ, ପୁଣି ମୋ ଆଖି ସାମ୍ନାରେ କିପରି ମାରିଦେଲେ । ଏହି ସମୟରେ ଦମ୍ପତି ନିଜ ପିଲାଙ୍କୁ ସାନ୍ତ୍ୱନା ଦେଉଥିବାର ଦେଖିବାକୁ ମିଳୁଛି । ହମାସ ପକ୍ଷରୁ ତାଙ୍କ ଘର ବାହାରେ ଗୁଳି ଗୋଳା ବର୍ଷଣ ଜାରି ରହିଥିବା ବେଳେ ଦମ୍ପତି ତାଙ୍କର ୨ ପିଲାଙ୍କୁ ଚଟାଣରେ ଶୋଇ ରହିବାକୁ କହୁଛନ୍ତି । ଏହି ସମୟରେ ବନ୍ଧୁକ ଧରି ଜଣେ ବ୍ୟକ୍ତି ସେହି ରୁମ୍‌ରେ ପ୍ରବେଶ କରୁଥିବାର ଦେଖାଯାଉଛି । ଏହି ଭିଡିଓ ସେୟାର କରି ସାମ୍ବାଦିକ ଲେଖିଛନ୍ତି, ବିଶ୍ୱ ଜାଣୁ ଇସ୍ରାଏଲରେ ଏବେ ସାଧାରଣ ନାଗରିକ କେଉଁପରି ଅବସ୍ଥାରେ ଅଛନ୍ତି ଓ ଏହାକୁ ନେଇ ସାରା ବିଶ୍ୱ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ ହେଉ ବୋଲି ସେ କହିଛନ୍ତି ।