ଯଦି ‘ଇଣ୍ଡିଆ’ ମେଣ୍ଟରୁ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ, ଏହି ପ୍ରାର୍ଥୀତ୍ୱକୁ ଅନ୍ୟ ଦଳ ଗ୍ରହଣ କରିବେ ତ?
ଓଡିଶା ଭାସ୍କର; ୨୦୨୪ରେ ବିଜେପି ସରକାରଙ୍କୁ ପରାସ୍ତ କରିବା ଆଶାରେ ରହିଛନ୍ତି ବହୁ ପ୍ରମୁଖ ବିରୋଧୀ ଦଳ । ଏହାକୁ ନେଇ ସମସ୍ତ ମୋଦି ବିରୋଧୀ ଦଳ ମେଣ୍ଟ ମଧ୍ୟ ବାନ୍ଧି ସାରିଛନ୍ତି । ଯେଉଁ ମେଣ୍ଟର ନାମ ‘ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲ୍ୟୁସିଭ ଆଲିଆନ୍ସ’ ବା ‘ଇଣ୍ଡିଆ’ ରଖାଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା । ହେଲେ ଏକ ବଡ଼ ଦ୍ୱନ୍ଦ୍ୱର ବିଷୟ ହେଉଛି ଯେ, ଏହି ‘ଇଣ୍ଡିଆ’ ମେଣ୍ଟ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ତେବେ ଏହାକୁ ନେଇ ଅନେକ ସମୟରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଥିବା ବେଳେ ଏବେ କଂଗ୍ରେସର କାର୍ୟ୍ୟକାରୀ କମିଟି ସଦସ୍ୟଙ୍କ ପ୍ରତିକ୍ରିୟାକୁ ନେଇ ଏକ ନୂଆ ଚର୍ଚ୍ଚା ଦେଖିବାକୁ ମିଳିଛି ।
୨୦୨୪ ଲୋକ ସଭା ନିର୍ବାଚନରେ ‘ଇଣ୍ଡିଆ’ ମେଣ୍ଟ କ୍ଷମତାରେ ରହିବ, ତେବେ କଂଗ୍ରେସ ଦଳ ମଲ୍ଲିକାର୍ଜୁନ ଖାର୍ଗେ କିମ୍ବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିପାରେ ବୋଲି କଂଗ୍ରେସର କାର୍ୟ୍ୟକାରୀ କମିଟି ସଦସ୍ୟ ଶଶି ଥରୁର ଅନୁଭବ କରିଛନ୍ତି । ଶଶି ଥରୁର ଆହୁରି କହିଛନ୍ତି , ଏହା ସମ୍ଭବତ ଇଣ୍ଡିଆ ଆସନ୍ତା ଲୋକ ସଭା ନିର୍ବାଚନରେ ବିଜୟ ପଞ୍ଜିକରଣ କରିପାରେ। ନିର୍ବାଚନ ଫଳାଫଳ ପରେ ସମସ୍ତ ଦଳ ଏକାଠି ହୋଇ ଜଣେ ନେତାଙ୍କୁ ବାଛିବାକୁ ପଡ଼ିବ। ତଥାପି, ମୋର ବିଶ୍ୱାସ ଯେ କଂଗ୍ରେସ ଦଳ ମଲ୍ଲିକାର୍ଜୁନ ଖାର୍ଗେ କିମ୍ବା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପ୍ରସ୍ତାବ ଦେଇପାରେ।
ସୂଚନା ଥାଉକି, ବିରୋଧୀ ଦଳର ପ୍ରଥମ ମେଣ୍ଟ ବୈଠକରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୋୖଡକୁ ନେଇ କଂଗ୍ରେସ କୌଣସି ଆଶା ରଖି ନାହିଁ । ତାଙ୍କ ଦଳର ପ୍ରମୁଖ ଲକ୍ଷ୍ୟ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରିବା ଓ କେନ୍ଦ୍ରରୁ ମୋଦୀ ସରକାର ହଟାଇବା । ମାତ୍ର ‘ଇଣ୍ଡିଆ’ ମେଣ୍ଟରୁ କଂଗ୍ରେସ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦେବା ପାଇଁ ପ୍ରଥମରୁ ଖୁବ ଆଶାୟୀ ଅଛି । ଅନେକ ସମୟରେ ଏହି ଚର୍ଚ୍ଚା ଦେଖିବାକୁ ମିଳୁଥିବା ବେଳେ ଏବେ କଂଗ୍ରେସ ନେତା ଶଶି ଥରୁରଙ୍କ ବୟାନ ପ୍ରମାଣିତ କରିଛି ଯେ, ଏଥର ‘ଇଣ୍ଡିଆ’ ମେଣ୍ଟରୁ ହିଁ କଂଗ୍ରେସ ପ୍ରାର୍ଥୀ । ତେବେ କଂଗ୍ରେସର ପ୍ରାର୍ଥୀତ୍ୱକୁ ନେଇ ମେଣ୍ଟରେ ଥିବା ଅନ୍ୟ ସମସ୍ତ ଦଳ ଏହାକୁ କେତେ ଦୂର ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହୁଛି ।